ବାରିପଦା : ଭୂବନେଶ୍ୱରର ଅଗ୍ରଣୀ ସାନ୍ତାଳୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଜଗାଳ୍ ଜାହେର ଆୟୋ ମହିଳା ସମିତି ଏବଂ ମାସିକ ସାନ୍ତାଳୀ ଖବର କାଗଜ ‘ଫାଗୁନ’ ମିଳିତ ସହଯୋଗରେ ପଟିଆସ୍ଥିତ ଆଦର୍ଶ ବିହାରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାଜଗାଳ୍ ଜାହେର ଆୟୋ ମହିଳା ସମିତିର ସଭାନେତ୍ରୀ ଶ୍ରୀମତୀ ଦେଲହ ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଦିବାସୀ ସମାଜର ଗୌରବମୟ ଇତିହାସ, ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ପ୍ରକୃତି ସହ ଆଦିବାସୀଙ୍କ ନିବିଡ଼ ସମ୍ପର୍କ ଏବଂ ସାମାଜିକ ଅଧିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର ସ୍ୱାଧୀନତା ସଂଗ୍ରାମ, ସାମାଜିକ ନ୍ୟାୟ ଓ ଆଦିବାସୀ ଅସ୍ମିତାର ସୁରକ୍ଷା ପାଇଁ ଅବିସ୍ମରଣୀୟ ଅବଦାନ ରଖିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରାଯାଇଥିଲା। ଅତିଥି ଓ ଉପସ୍ଥିତ ସଦସ୍ୟମାନେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବାବା ତିଲକା ମାଝୀ, ବୀର ସିଦୋ ମୁର୍ମୁ, ବୀର କାହ୍ନୁ ମୁର୍ମୁ, ଧରତି ଆବା ବିରସା ମୁଣ୍ଡା, ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକର, ଆଦିବାସୀ ନେତା ଜୟପାଲ ସିଂ ମୁଣ୍ଡା, ସୁନାରାମ ସୋରେନ ପ୍ରମୁଖଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରି ସେମାନଙ୍କ ସଂଘର୍ଷ ଓ ଅବଦାନକୁ ସ୍ମରଣ କରିଥିଲେ।
ସଭାରେ ବକ୍ତାମାନେ ବିଶ୍ୱ ଆଦିବାସୀ ଦିବସ ପାଳନର ଐତିହାସିକ ପୃଷ୍ଠଭୂମି ଓ ଏହାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଆଦିବାସୀ ସମାଜର ପରିଚୟ କେବଳ ତାହାର ପାରମ୍ପରିକ ବେଶଭୂଷା, ନୃତ୍ୟ ଓ ସଙ୍ଗୀତରେ ସୀମିତ ନୁହେଁ; ବରଂ ନିଜସ୍ୱ ଭାଷା, ଲିପି, ସାହିତ୍ୟ, ଜୀବନଶୈଳୀ, ସାମାଜିକ ବ୍ୟବସ୍ଥା, ପ୍ରକୃତିକେନ୍ଦ୍ରିକ ଜୀବନଦର୍ଶନ ଏବଂ ପାରମ୍ପରିକ ଜ୍ଞାନ ଏହାର ମୂଳ ଆଧାର ବୋଲି ମତ ପ୍ରକାଶ ପାଇଥିଲା।
ବିଶେଷକରି ଦ୍ରୁତ ପରିବର୍ତ୍ତନଶୀଳ ଆଧୁନିକ ସମାଜରେ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣ, ନୂତନ ପିଢ଼ିକୁ ନିଜ ମାତୃଭାଷା ଓ ପରମ୍ପରା ସହ ଯୋଡ଼ିବା ଏବଂ ଶିକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରରେ ଆଦିବାସୀ ଭାଷାର ବ୍ୟବହାର ବୃଦ୍ଧି କରିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଜଳ, ଜଙ୍ଗଲ ଓ ଜମି ସହ ଆଦିବାସୀ ସମାଜର ପାରମ୍ପରିକ ସମ୍ପର୍କ ଓ ପ୍ରକୃତି ସୁରକ୍ଷାରେ ସେମାନଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ରାଜଗାଳ୍ ଜାହେର ଆୟୋ ମହିଳା ସମିତିର ସଭାନେତ୍ରୀ ଦେଲହ ସୋରେନ, ଉପସଭାନେତ୍ରୀ ଦାନଗୀ ମୁର୍ମୁ, ସମ୍ପାଦିକା ପ୍ରିୟାମଣି ଟୁଡୁ, କାର୍ଯ୍ୟକାରୀ ସଦସ୍ୟା ଗୟାମଣି ବେଶ୍ରା, ମିନାକ୍ଷୀ ହାଁସଦା, ସଲମା ମାରାଣ୍ଡି ଓ ପୁଷ୍ପଲତା ସୋରେନ ପ୍ରମୁଖ ସକ୍ରିୟ ଭାବେ ଯୋଗଦେଇଥିଲେ। ସେହିପରି ମାସିକ ସାନ୍ତାଳୀ ପତ୍ରିକା ‘ଫାଗୁନ’ ପକ୍ଷରୁ ସହ-ସମ୍ପାଦିକା ସୁରୁକୁନୀ ମୁର୍ମୁ, ସଂସ୍ଥାପକ ମାଙ୍ଗାତ ମୁର୍ମୁ, ଆଜୀବନ ସଦସ୍ୟ ଆର୍. ଅଶ୍ୱନୀ ବଞ୍ଜନ ମୁର୍ମୁ, ରାଇମୋହନ ଟୁଡୁ, ଅନୁପ ମାଝୀ, ଫୁଦାନ ଚନ୍ଦ୍ର ସୋରେନ ଓ ହାରାଧନ ମାରାଣ୍ଡିଙ୍କ ସମେତ ବହୁ ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।
ଉପସ୍ଥିତ ବକ୍ତାମାନେ ଆଦିବାସୀ ଦିବସକୁ କେବଳ ଏକ ଉତ୍ସବ ଭାବେ ପାଳନ ନକରି ଆଦିବାସୀ ସମାଜର ଭାଷା, ସଂସ୍କୃତି, ପ୍ରକୃତି ଓ ଅସ୍ତିତ୍ୱର ସୁରକ୍ଷା ପାଇଁ ସାମୂହିକ ସଂକଳ୍ପର ଦିବସ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ନିଜ ଭାଷା ଓ ସାଂସ୍କୃତିକ ମୂଳକୁ ସୁଦୃଢ଼ ରଖିବା ସହ ଶିକ୍ଷା, ସାମାଜିକ ସଚେତନତା ଓ ନୂତନ ପ୍ରଯୁକ୍ତିକୁ ଆପଣାଇ ଆଗାମୀ ପିଢ଼ି ପାଇଁ ଆଦିବାସୀ ଐତିହ୍ୟକୁ ସୁରକ୍ଷିତ ରଖିବା ଆଜିର ସମୟର ଆହ୍ୱାନ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଆୟୋଜକମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସଦସ୍ୟ, ଅତିଥି ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଥିଲେ। ସାନ୍ତାଳୀ ଭାଷା, ସଂସ୍କୃତି ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
