ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ–୧ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।
ଏହି ଅଭିଯାନ ସମୟରେ ଉଭୟ ଥାନା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଅଞ୍ଚଳ ଓ ବଜାର ପରିସରରେ ଥିବା ପାନ ଦୋକାନ, ଗ୍ରୋସେରୀ ଦୋକାନ ଏବଂ ଅନ୍ୟାନ୍ୟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ଦେଖାଯାଇଥିଲା ।
ଶିକ୍ଷା ଅନୁଷ୍ଠାନ ନିକଟରେ ତମାଖୁଜାତ ସାମଗ୍ରୀ ବିକ୍ରୟ ନିଷିଦ୍ଧ ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ କରି ବିକ୍ରୟ କରାଯାଉଥିବା ଅଭିଯୋଗରେ ଉଭୟ ଥାନା ଅଞ୍ଚଳରେ ମୋଟ ୨୦ ଟି ଦୋକାନକୁ ଚିହ୍ନଟ କରାଯାଇଥିଲା । ସମ୍ବନ୍ଧିତ ଦୋକାନୀମାନଙ୍କ ଠାରୁ ମୋଟ ୩୩୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ସହ ଭବିଷ୍ୟତରେ ଏପରି ନିୟମ ଉଲ୍ଲଂଘନ ନ କରିବା ପାଇଁ ସତର୍କ କରାଯାଇଥିଲା ।
ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଅନୁଷ୍ଠାନ ପରିସରକୁ ତମାଖୁମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଏହି ମିଳିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଯାଞ୍ଚ ଅଭିଯାନରେ ଡ୍ରଗ ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ନାୟକ, ମହୁଲ୍ଡିହ ଥାନା ର ଆଇଆଇସି ବୀରେନ୍ଦ୍ର କୁମାର ରାଉତ ଅବକାରୀ ବିଭାଗ ର ଲକ୍ସମାନ କୁମାର ନାୟକ, ଠାକୁର୍ ମୁଣ୍ଡ। ଥାନାର ପାର୍ବତୀ ମାରାଣ୍ଡି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ନିହାର ରଞ୍ଜନ ପୃଷ୍ଟି ସାମିଲ୍ ଥିଲେ ।
