IMG 20260807 WA0242

କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ-୨୦୨୬ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସମନ୍ୱୟ କମିଟି ବୈଠକ

ରାଜ୍ୟ
ବାରିପଦା: କୁଷ୍ଠ ମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗଦ୍ଵାରା ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ, ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ କାର୍ଯ୍ୟକାରୀ ହେବ । ଏହି ଅଭିଯାନର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା  ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।
                 ଅଭିଯାନ ସମୟରେ ଜିଲ୍ଲାର କୁଷ୍ଠ ରୋଗ ପ୍ରଭାବିତ ୧୫ଟି ବ୍ଲକର ୨୦୯୮ଟି ଗ୍ରାମରେ ପ୍ରାୟ ୧୬,୪୮,୭୯୨ ଜଣ ଲୋକଙ୍କ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ କରାଯିବ । ସମ୍ଭାବ୍ୟ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ଡାକ୍ତରୀ ପରୀକ୍ଷା କରାଯିବ ଏବଂ ରୋଗ ନିଶ୍ଚିତ ହେଲେ ତୁରନ୍ତ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ ।
               ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୮୨୦୪ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୮୬୮ ଜଣ ସୁସ୍ଥ ହୋଇସାରିଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୩୬ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଅଭିଯାନକୁ ସଫଳ କରିବା ପାଇଁ ୧୯୦୮ ଜଣ ଆଶା କର୍ମୀ, ୪୬୭ ଜଣ ସ୍ୱାସ୍ଥ୍ୟକର୍ମୀ, ୩୫୦ ଜଣ କମ୍ୟୁନିଟି ହେଲ୍ଥ ଅଫିସର, ୪୩ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ, ୮୧ ଜଣ ଏମ୍‌.ବି.ବି.ଏସ୍‌. ଡାକ୍ତର ଏବଂ ୪୭ ଜଣ ଆୟୁଷ ଡାକ୍ତର ନିୟୋଜିତ ହେବେ ।
                 ଅଭିଯାନ ସମୟରେ ଆଶା କର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କୁଷ୍ଠ ରୋଗର ଲକ୍ଷଣ ସମ୍ପର୍କରେ ସଚେତନ କରିବେ । ଧଳା କିମ୍ବା ତମ୍ବାଳିଆ ଦାଗ, ଚର୍ମରେ ଅସ୍ୱାଭାବିକ ପରିବର୍ତ୍ତନ, ହାତ କିମ୍ବା ପାଦ ଝିମଝିମ ହେବା କିମ୍ବା ଘା ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବ । ରୋଗ ନିଶ୍ଚିତ ହେଲେ ସରକାରଙ୍କ ପକ୍ଷରୁ ମଲ୍ଟି ଡ୍ରଗ ଥେରାପି ଔଷଧ ସମ୍ପୂର୍ଣ୍ଣ ନିଶୁଳ୍କରେ ଯୋଗାଇ ଦିଆଯିବ । ନିୟମିତ ଔଷଧ ସେବନ କଲେ ୬ରୁ ୧୨ ମାସ ମଧ୍ୟରେ କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବ ।
              ସେହିପରି ଆର୍‌.ବି.ଏସ୍‌.କେ. ଟିମ୍ ଦ୍ୱାରା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏହାଦ୍ୱାରା ଶିଶୁମାନଙ୍କ ମଧ୍ୟରେ କୁଷ୍ଠ ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରି ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରାଯିବ । ବୈଠକରେ ଭାରତ ସରକାରଙ୍କ ୨୦୨୭ ସୁଦ୍ଧା କୁଷ୍ଠ ରୋଗ ନିରାକରଣ ଲକ୍ଷ୍ୟ ହାସଲ ଦିଗରେ ମୟୂରଭଞ୍ଜ ଜିଲ୍ଲାର ସମନ୍ୱିତ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
              ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ବୈଠକରେ କହିଥିଲେ ଯେ, କୁଷ୍ଠ ରୋଗ ଏକ ସମ୍ପୂର୍ଣ୍ଣ ନିରାମୟଯୋଗ୍ୟ ରୋଗ । ତେଣୁ ଏହାକୁ ନେଇ ସମାଜରେ ଥିବା ଭ୍ରାନ୍ତ ଧାରଣା ଓ କୁସଂସ୍କାର ଦୂର କରିବା ସହ ପ୍ରତ୍ୟେକ ଲୋକଙ୍କ ନିକଟରେ ସଚେତନତା ପହଞ୍ଚାଇବା ଆବଶ୍ୟକ । ଘରକୁ ଘର ବୁଲି ସମ୍ଭାବ୍ୟ ରୋଗୀଙ୍କୁ ଚିହ୍ନଟ କରି ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରାଗଲେ କୁଷ୍ଠ ମୁକ୍ତ ମୟୂରଭଞ୍ଜ ଏବଂ କୁଷ୍ଠ ମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ହୋଇପାରିବ।  ଏଥିପାଇଁ ସମସ୍ତ ବିଭାଗ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।
               ସେହିପରି ଜିଲ୍ଲାପାଳ  ହେମକାନ୍ତ ସୟ୍ ଅଭିଯାନକୁ ଶତପ୍ରତିଶତ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ପ୍ରତ୍ୟେକ ସମ୍ଭାବ୍ୟ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ନିଶୁଳ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କୁଷ୍ଠ ରୋଗୀମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଆଧାର କାର୍ଡ ସମ୍ବନ୍ଧୀୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ରୋଗୀମାନଙ୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ତୁରନ୍ତ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
                ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱନାଥ ଦାସ ଅଭିଯାନର ପ୍ରସ୍ତୁତି ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିବାବେଳେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡ଼. ଶାନ୍ତନୁ କୁମାର ଦାସ ଅଭିଯାନର ରୂପରେଖା, ଲକ୍ଷ୍ୟ ଓ କାର୍ଯ୍ୟଯୋଜନା ସମ୍ପର୍କରେ ଉପସ୍ଥାପନା କରିଥିଲେ ।
               ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡ଼. ବିଜୟ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋପୀନାଥ ସୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା, ଡିପିଏମ୍ ଅନୀଲ କୁମାର ମହାନ୍ତି, ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡ଼. ତପନ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜିଲ୍ଲା ସମନ୍ୱୟ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଅଭିଯାନର ସଫଳ କାର୍ଯ୍ୟକାରିତା ନିମନ୍ତେ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।