IMG 20260806 WA0240

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ରାଜ୍ୟ
  • ଶୀଘ୍ର କ୍ଷୟକ୍ଷତି ଆକଳନ କରି ପ୍ରଭାବିତଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି
ବାରିପଦା : ଗତକିଛି ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଓ ବଡ଼ସାହି ବ୍ଲକ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳର ବନ୍ୟା ପରବର୍ତ୍ତୀ ସ୍ଥିତି ଜାଣିବା ପାଇଁ ସ୍ଥଳ ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ । ପରିଦର୍ଶନ ଅବସରରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେବା ସହ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ଶୀଘ୍ର ଆକଳନ କରି ସରକାରଙ୍କ ପ୍ରଚଳିତ ନିୟମାବଳୀ ଅନୁଯାୟୀ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
                      ପରିଦର୍ଶନ ସମୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ ।
                     ପ୍ରଥମେ ମନ୍ତ୍ରୀ ବେତନଟୀ ବ୍ଲକର ପାଟଳିପୁରା ଗ୍ରାମପଞ୍ଚାୟତ ଅଧୀନ କାଠପାଳ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ସମସ୍ୟା, ଆବଶ୍ୟକତା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ବୁଢ଼ାବଳଙ୍ଗ ନଦୀରେ ଥିବା ନାଖରା ପୋଲ ନିକଟରେ ବନ୍ୟାର ପ୍ରଭାବ, କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ଘରବାଡ଼ିର ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଭବିଷ୍ୟତରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନଦୀର ଉଭୟ ପାର୍ଶ୍ୱରେ ସୁଦୃଢ଼ ତଟବନ୍ଧ ନିର୍ମାଣ ସମ୍ଭାବନା ଉପରେ ବିଚାର କରି ଆବଶ୍ୟକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
                    ଏହାପରେ ମନ୍ତ୍ରୀ ବଡ଼ସାହି ବ୍ଲକର ମାଣତ୍ରୀ ଅଞ୍ଚଳରେ ଗଙ୍ଗାହାର ନଦୀ ଉପରେ ଥିବା ବିତନୁ ପୋଲ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଫସଲର ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କୃଷକମାନଙ୍କ ସହ ଆଲୋଚନା କରିଥିଲେ । କ୍ଷୟକ୍ଷତିର ସଠିକ୍ ଆକଳନ କରି ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ପ୍ରଚଳିତ ନିୟମାବଳୀ ଅନୁଯାୟୀ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବିଭିନ୍ନ ଚାଷଜମିରେ ବନ୍ୟା ଜଳର ସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସ୍ଥାନରେ କଲଭର୍ଟ ନିର୍ମାଣ, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଏବଂ ବୈଷୟିକ ସର୍ଭେ କରି ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
                   ପରିଦର୍ଶନ ଅବସରରେ ମନ୍ତ୍ରୀ ବଡ଼ସାହି ବ୍ଲକର ଭିମଦା ଓ ପାଟିସାରି ପଞ୍ଚାୟତର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥିତିର ବ୍ୟାପକ ସମୀକ୍ଷା କରିଥିଲେ । ଏହି ସମୟରେ ସେ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ରିଲିଫ୍, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
                          ସେହିପରି ବନ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ‘ବସୁଧା’ ଯୋଜନା ଅଧୀନରେ ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ମହାନ୍ତ, ବଡ଼ସାହି ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ବଡ଼ସାହି ବ୍ଲକ ଉନ୍ନୟନ ଅଧିକାରୀ ବନଜା ଦାସ, ବେତନଟୀ ବ୍ଲକ ଉନ୍ନୟନ ଅଧିକାରୀ ମୁନା ସେଠୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।