ବାରିପଦା : ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନକୁ ନେଇ ଆଜି ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କମ୍ପେକ୍ସ ପରିସରରେ ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଓଡିଶା ଅଲମ୍ପିକ ଆସୋସିଏସନ ଓ ଓଡିଶା ଆଥେଲଟିକ ଆସୋସିଏସନର ଟେକ୍ନିକାଲ ମୁଖ୍ୟ ମି. ପ୍ରବଧ କୁମାର ମହାନ୍ତି ଜିଲ୍ଲା କ୍ରୀଡାଧିକାରୀ ଡ଼ ସୁଭାଶିଷ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ଶୁଭାଶିଷ ନାୟକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଉକ୍ତ ପ୍ରତିଯୋଗିତା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ ପୂର୍ବକ କହିଥିଲେ ଏହି ରାଜ୍ୟସ୍ତରୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ କ୍ରୀଡା ସଙ୍ଘର ମିଳିତ ସହଯୋଗରେ ଓଡିଶା କ୍ରୀଡା ସଙ୍ଘ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଚଳିତ ଅଗଷ୍ଟ ୭ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ, ମୋଟ ୩ଦିନ ଧରି ରାଇରଙ୍ଗପୁର ସ୍ଥିତ ନବ ନିର୍ମିତ କ୍ରୀଡ଼ା କମ୍ପ୍ଲେକ୍ସ ଠାରେ ଏହା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ପ୍ରଥମ ପର୍ଯ୍ୟାୟ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଦିବା ୧୧-୩୦ ପର୍ଯ୍ୟନ୍ତ ଏବଂ ଦ୍ୱତୀୟ ପର୍ଯ୍ୟାୟ ଅପରାହ୍ନ ୨-୩୦ ରୁ ରାତ୍ର ୭-୩୦ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ଇଭେଣ୍ଟ ଚାଲିବ। ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ୭ତାରିଖ ଅପରାହ୍ନରେ ଏହାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ବୟସ ଆଧାରରେ ପ୍ରତିଯୋଗିତା ୪ଟି ବର୍ଗରେ ଯଥାକ୍ରମେ ୧୪ ବର୍ଷରୁ କମ, ୧୬ ବର୍ଷରୁ କମ, ୧୮ ବର୍ଷରୁ କମ ଓ ୨୦ ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକା ଖେଳାଳୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ୩୦ଟି ଜିଲ୍ଲା ଏବଂ ପ୍ରମୁଖ ସହର ଭୁବନେଶ୍ୱର, ରାଉରକେଲା,ପାରାଦ୍ବୀପ ଓ କିଟସ ଅନୁଷ୍ଠାନକୁ ମିଶାଇ ମୋଟ ୩୪ଟି ସ୍ଥାନରୁ ୩୫୮ ବାଳକ ଓ ୨୪୪ ଜଣ ବାଳିକାଙ୍କୁ ମିଶାଇ ମୋଟ ୬୦୨ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବେ। ଏଥି ସହିତ ମହିଳା କ୍ରୀଡ଼ାବିତ୍, ପ୍ରଶିକ୍ଷକ, ଅଧିକାରୀ ଓ କ୍ରୀଡା ଜଗତର ଅନ୍ୟାନ୍ୟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ସୁପରିଚାଳନା ପାଇଁ ୮୦ଜଣ ଟେକ୍ନିକାଲ ଅଫିସର ଓ ୧୨୦ ଜଣ ଅର୍ଗାନାଇଜ଼ର ନିୟୋଜିତ ହୋଇଛନ୍ତି।ଉଭୟ ବାଳକ ଓ ବାଳିକା ବର୍ଗରେ ଦୌଡ଼, ଲମ୍ଫ, ଥ୍ରୋ ଇତ୍ୟାଦି ସହ ଦୌଡ଼କୁଦ ଅନ୍ତର୍ଗତ ଅନ୍ୟାନ୍ୟ ଖେଳକୁ ମିଶାଇ ପାଖାପାଖି ୨୬ଟି ଇଭେଣ୍ଟ ଅନୁଷ୍ଠିତ ହେବ। ପ୍ରତ୍ୟେକ ଇଭେଣ୍ଟ ପୃଥକ ପୃଥକ ଭାବେ ଉଭୟ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ଇଭେଣ୍ଟରେ ପ୍ରତିଯୋଗିତା ଶେଷରେ ତତକ୍ଷଣାତ ମେଡାଲ ଉତ୍ସବ ଆୟୋଜନ କରାଯାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ପ୍ରତିଯୋଗିତାର ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ରାଜ୍ୟର ଏକ ପ୍ରମୁଖ କ୍ରୀଡ଼ା ଆୟୋଜନ ଭାବେ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାକୁ ସୁଚାରୁ, ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି।
ପ୍ରତିଯୋଗୀମାନଙ୍କ ରହଣି, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପ୍ରତିଯୋଗିତା ସ୍ଥଳରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହ ଆମ୍ବୁଲାନ୍ସ, ମେଡିକାଲ୍ ଟିମ୍ ଓ ଅଗ୍ନିଶମ ସେବା ମୁତୟନ କରାଯିବ। ରାଇରଙ୍ଗପୁର
ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ କହିଥିଲେ ଯେ, ପ୍ରତିଯୋଗିତା ସମୟରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯିବ। କ୍ରୀଡ଼ାବିତ୍, ଅତିଥି ଓ ଦର୍ଶକମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ।
ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ସହଯୋଗ ଓ ସକ୍ରିୟ ପ୍ରଚାର ମାଧ୍ୟମରେ ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନକୁ ସଫଳ କରିବା ପାଇଁ ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରାଯାଇଥିଲା।
ଅଲମ୍ପିକ ଆସୋସିଏଏସ ମୁଖ୍ୟ ଶ୍ରୀ ପ୍ରବୋଧ ମହାନ୍ତି, ପ୍ରତିଯୋଗିତା ପାଇଁ ହୋଇଥିବା ସମସ୍ତ ପ୍ରକାର ଉତ୍ତମ ବ୍ୟବସ୍ଥା ସମ୍ପର୍କରେ ସନ୍ତୋଷ ବ୍ୟକ୍ତ କରିବା ସହ କହିଥିଲେ ଆପଣ ମାନେ ଜାଣି ଖୁସି ହେବେ ୧୦ ଲେନ ବିଶିଷ୍ଟ ରାଇରଙ୍ଗପୁରର ଏହି ଷ୍ଟାଡିୟମ ଓଡିଶାରେ ପ୍ରଥମ ଓ ସାରା ଭାରତରେ ଦ୍ଵିତୀୟ ଷ୍ଟାଡିୟମ ଯେଉଁ ଠାରେ ପ୍ରଥମ କରି ଏହି ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରାଯାଉଛି। ତେଣୁ ଏ ଅଂଚଳ ତଥା ସମଗ୍ର ଜିଲ୍ଲା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ।
ଶେଷରେ, ରାଇରଙ୍ଗପୁରଠାରେ ଏଭଳି ଏକ ବୃହତ୍ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ, ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହ ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା।
