Screenshot 2026 08 04 161604 750x430

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

ରାଜ୍ୟ

ଭୁବନେଶ୍ୱର: ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ। ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ ଋଣ ମିଳିବା ପୂର୍ବରୁ ନିଜସ୍ୱ ଅର୍ଥରେ ଆରମ୍ଭ ହେବ ପ୍ରକଳ୍ପ। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।ସେ କହିଛନ୍ତି BKPPER ପ୍ରକଳ୍ପକୁ ଗତକାଲି ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ମନିଟରିଂ କମିଟିରେ ମିଳିଥିଲା ଅନୁମୋଦନ। ​ଏହି ପ୍ରକଳ୍ପ ପାଇଁ ମୋଟ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

କେନ୍ଦ୍ରୀୟ ସହାୟତା ମିଳିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଏହାର କାର୍ଯ୍ୟ ଆରମ୍ଭ କରିବେ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୧,୪୦୦ କୋଟି ଟଙ୍କାର ସହାୟତା ମିଳିବାକୁ ଥିବାବେଳେ ବାକି ୩,୪୦୦ କୋଟି ଟଙ୍କା ରାଜ୍ୟ ସରକାର ବ୍ୟାଙ୍କରୁ ଋଣ ଆକାରରେ ନେବେ। ​ଏହି ଯୋଜନା ମାଧ୍ୟମରେ ୪ଟି ସହର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ମିଶାଇ ସମ୍ମିଳିତ ବିକାଶ କରାଯିବ। ଏହାଦ୍ୱାରା ଅଞ୍ଚଳର ଭିତ୍ତିଭୂମି, ଶିଳ୍ପ ଓ ପର୍ଯ୍ୟଟନର ପ୍ରଗତି ସହ ବ୍ୟାପକ ସହରୀକରଣ କରାଯିବ। ରାଜ୍ୟ ସରକାରଙ୍କ ଓଡ଼ିଶା ଭିଜନ୍-୨୦୩୬ ଓ ଭିଜନ୍-୨୦୪୭ରେ ସହରୀକରଣକୁ ଅର୍ଥନୈତିକ ବିକାଶର ପ୍ରମୁଖ ଇଞ୍ଜିନ୍ ଭାବେ ଚିହ୍ନଟ କରାଯାଇଛି। ଏହି ଯୋଜନା ଅନୁସାରେ ଏକାଧିକ ସହରକୁ ଯୋଡ଼ି ଆଧୁନିକ ଭିତ୍ତିଭୂମି, ଶିଳ୍ପ, ଚାକିରି, ଉନ୍ନତ ପରିବହନ ଏବଂ ସମନ୍ୱିତ ନଗର ସେବା ସହିତ ବଡ଼ ଅର୍ଥନୈତିକ କରିଡରରେ ପରିଣତ କରାଯିବ।