IMG 20260727 WA0033

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ, ‘ଜିନ୍ଦାବାଦ’ ନାରାରେ ଗୁଞ୍ଜରିତ ହେଲା ସଂସଦ ଭବନ

ଦେଶ - ବିଦେଶ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ କାରଣରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରୀ ପଦ ଛାଡ଼ିବା ପରେ ମଧ୍ୟ ବିଜେପି ଦଳ ଭିତରେ ତାଙ୍କର ଦବଦବା ଏବଂ ଲୋକପ୍ରିୟତା ଟିକିଏ ବି କମିନାହିଁ ବୋଲି ସଂସଦ ଭବନରେ ଦେଖିବାକୁ ମିଳିଛି। ଇସ୍ତଫା ଦେବା ପରେ ଯେତେବେଳେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ପହଞ୍ଚିଥିଲେ, ସେତେବେଳେ ବିଜେପି ସାଂସଦମାନେ ତାଙ୍କୁ ଏକ ଭବ୍ୟ ଏବଂ ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଂସଦର ‘ମକର ଦ୍ୱାର’ ନିକଟରେ ଘଟିଥିବା ଏହି ଅପୂର୍ବ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ସଂସଦର ମକର ଦ୍ୱାର ପାଖରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବା ଦଳୀୟ ସାଂସଦମାନେ ଏକାଠି ହୋଇଯାଇଥିଲେ। ସମସ୍ତେ ତାଙ୍କୁ ଚାରିପଟୁ ଘେରିଯାଇ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ନାରା ଲଗାଇଥିଲେ। ଅନେକ ସାଂସଦ ତାଙ୍କୁ କୁଣ୍ଢାଇ ପକାଇଥିଲେ ତ ଆଉ କେହି କରମର୍ଦ୍ଦନ କରି ତାଙ୍କର ମନୋବଳ ବଢ଼ାଇଥିଲେ। ଦଳ ପାଇଁ ତାଙ୍କର ଅବଦାନ ଏବଂ ନୈତିକତା ଆଧାରରେ ନିଜ ଆଡ଼ୁ ଇସ୍ତଫା ଦେବାର ନିଷ୍ପତ୍ତିକୁ ସାଂସଦମାନେ ସମ୍ମାନ ଜଣାଉଥିବା ଏହି ଉଷ୍ମ ସ୍ୱାଗତରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଏହି ସମୟରେ ଧର୍ମେନ୍ଦ୍ର ମଧ୍ୟ ହସି ହସି ସମସ୍ତଙ୍କ ଶୁଭେଚ୍ଛାକୁ ଗ୍ରହଣ କରିଥିଲେ ଏବଂ ହାତ ଯୋଡ଼ି କୃତଜ୍ଞତା ଜଣାଇଥିଲେ।

 

ଉଲ୍ଲେଖଯୋଗ୍ୟ ଯେ, ସିଜେପି ସଂଗଠନର ନେତୃତ୍ୱରେ ଚାଲିଥିବା ବିଶାଳ ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଛାତ୍ରମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଗତ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ମନ୍ତ୍ରୀ ପଦରୁ ବିଦାୟ ନେଇଥିଲେ ହେଁ, ସଂସଦର ମକର ଦ୍ୱାରରେ ତାଙ୍କୁ ମିଳିଥିବା ଏହି ଅଖଣ୍ଡ ସମର୍ଥନ ପ୍ରମାଣ କରୁଛି ଯେ ବିଜେପିର ସାଂଗଠନିକ ସ୍ତରରେ ତାଙ୍କର ସ୍ଥାନ ଏବେ ବି ବେଶ୍ ମଜବୁତ ରହିଛି। ବିରୋଧୀଙ୍କ ତୀବ୍ର ସମାଲୋଚନା ସତ୍ତ୍ୱେ ନିଜ ଦଳର ସାଂସଦମାନେ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହେବା, ରାଜନୈତିକ ଦୃଷ୍ଟିକୋଣରୁ ଏକ ବଡ଼ ବାର୍ତ୍ତା ବହନ କରୁଛି।