ନୂଆଦିଲ୍ଲୀ : ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ତୁରନ୍ତ କୌଣସି କଠୋର ସାମରିକ ବା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଅଶୋଧିତ ତୈଳ ଦର ପ୍ରାୟ ୬ ପ୍ରତିଶତ ତଳକୁ ଖସିଯାଇଛି, ଯାହାକି ବିଗତ କିଛି ସପ୍ତାହ ମଧ୍ୟରେ ସବୁଠାରୁ ଶୀଘ୍ର ହ୍ରାସ ବୋଲି ବିବେଚନା କରାଯାଉଛି।
ଗତ କିଛି ଦିନ ହେବ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ନେଇ ତୈଳ ବଜାରରେ ତୀବ୍ର ଅସ୍ଥିରତା ଦେଖାଦେଇଥିଲା। ବିଶେଷକରି ଇରାନର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ନେଇ ନିବେଶକମାନେ ଘୋର ଆଶଙ୍କାରେ ଥିଲେ। ଏହି କାରଣରୁ ତୈଳ ଦର କ୍ରମାଗତ ଭାବେ ଉପରମୁହାଁ ହେଉଥିଲା। ତେବେ ୱାଶିଂଟନ୍ ପକ୍ଷରୁ ଇରାନ ବିରୋଧରେ ଆପାତତଃ ନିଜର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖାଯିବା ନେଇ ସଙ୍କେତ ମିଳିବା ପରେ ବଜାରର ଭୟ ଦୂର ହୋଇଛି।
