IMG 20260723 WA0214

୮୦ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଜ୍ୟ
  • ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆରେ ହେବ ଜିଲ୍ଲାସ୍ତରୀୟ ମୁଖ୍ୟ ସମାରୋହ
ବାରିପଦା : ଆଗାମୀ ୮୦ତମ ସ୍ୱାଧୀନତା ଦିବସର ଜିଲ୍ଲାସ୍ତରୀୟ ପାଳନକୁ ସୁଚାରୁ ଓ ସୁପରିଚାଳିତ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାଧୀନତା ଦିବସ ପାଳନ ସମ୍ପର୍କିତ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଓ ପ୍ରସ୍ତୁତି ଉପରେ ବିସ୍ତୃତ ସମୀକ୍ଷା କରାଯିବା ସହ ସମସ୍ତ ବିଭାଗକୁ ନିର୍ଦ୍ଧାରିତ ଦାୟିତ୍ୱ ସଫଳତାର ସହ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା ।
                  ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ । ସେହିଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ ସଙ୍ଗୀତ ପରିବେଷଣ କରାଯାଇ ସହର ପରିକ୍ରମା କରାଯିବ । ସକାଳ ୯.୧୫ ଘଟିକାରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ ।
                ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯିବ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉତ୍କଳ ବାଳାଶ୍ରମ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଫଳ ବଣ୍ଟନ କରାଯିବ । ସେହିପରି ସନ୍ଧ୍ୟାରେ ଶହୀଦ ସ୍ମୃତି ଭବନ ପରିସରରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
               ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିସାନ, ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡା. ବିଜୟ କୁମାର ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ବାରିପଦାର ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରଣୟ ରଞ୍ଜନ ବେହେରା, ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଆଲୋକ କାନୁନଗୋ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ତାପସ କୁମାର ମହାନ୍ତଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନର ପ୍ରତିନିଧି, ଅଗ୍ନିଶମ ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ବୈଠକକୁ ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।