IMG 20260717 WA0242

ରଥ ଆଗରେ ହିମାଦ୍ରିତନୟା ଓ ସାଥୀଙ୍କ ଓଡିଶୀ ନୃତ୍ୟ ପ୍ରଦର୍ଶନ  

ରାଜ୍ୟ
ବାରିପଦା  : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହିମାଦ୍ରୀ ତନୟା ଓ ତାଙ୍କ ସାଥୀ ନୃତ୍ୟଶିଳ୍ପୀମାନେ ରଥ ଆଗରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଏହି ନିଆରା ପରମ୍ପରାକୁ ବଜାୟ ରଖିଛନ୍ତି l  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ମସିହା ପୂର୍ବରୁ ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା ନ ଥିବା ବେଳେ ପ୍ରଥମେ ହିମାଦ୍ରୀ ତନୟା ଚୌଧୁରୀ ବାରିପଦା ରଥ ଆଗରେ ଏକାକୀ ନୃତ୍ୟ କରି ଏ ପରମ୍ପରା ର ଶୁଭାରମ୍ଭ କରିଥିଲେ l ଦୁଇ ତିନି ବର୍ଷ ଧରି ଏକାକୀ ନୃତ୍ୟ କରିବା ପରେ କରୋନା ପର ଠାରୁ ଧିରେ ଧିରେ କେତେକ ନୃତ୍ୟଶିଳ୍ପୀ ଅନୁପ୍ରାଣୀତ ହୋଇ ରଥ ଆଗରେ ନୃତ୍ୟ  ଆରମ୍ଭ କରିଥିବା ବେଳେ ଏବେ ଏହା ଏକ ସାଂସ୍କୃତିକ ଆନ୍ଦୋଳନ ରେ ପରିଣତ ହୋଇଛି l ଅନେକ ଛୋଟ ଛୋଟ ପିଲାମାନେ ତାଙ୍କୁ ଦେଖି ରଥ ଆଗରେ ନୃତ୍ୟ କରିବାକୁ ଆଗେଇ ଆସିଛନ୍ତି l ଏପରିକି ବାରିପଦା ବାହାରୁ ମଧ୍ୟ କେତେକ ନୃତ୍ୟ ଶିଳ୍ପୀ ଚଳିତ ବର୍ଷ ପ୍ରଥମ ଥର ଲାଗି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ଆସି ରଥ ଆଗରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା l
 ତେଵେ ବାରିପଦା ରେ ଏ ନିଆରା ପରମ୍ପରା କୁ ଆରମ୍ଭ କରିଥିବା ନୃତ୍ୟ ଶିଳ୍ପୀ ହିମାଦ୍ରୀତନୟା ଚୌଧୁରୀ କହନ୍ତି, ସବୁ ସେଇ ବିଶ୍ଵ ନିଅନ୍ତା ମହାପ୍ରଭୁଙ୍କ ଇଚ୍ଛା l ୨୦୧୭ ମସିହାରେ ମୁଁ ସପ୍ତମ ଶ୍ରେଣୀର ଛାତ୍ରୀ l ଟିଭିରେ ରଥ ଯାତ୍ରାର ଧାରା ବିବରଣୀ ଦେଖୁଥାଏ l ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥ ଆଗରେ ଓଡିଶୀ ନୃତ୍ୟ ପରିବେଷିତ ହେଉଥିବା ବେଳେ ଏଠାରେ କାହିଁକି ହେଉନି ବୋଲି ମୋ ଭିତରେ ପ୍ରଶ୍ନ ଥାଏ ଆଉ ଦୁଃଖ ବି l ବାପା ଙ୍କୁ ପଚାରିବାରୁ ବାପା କହିଲେ ତୁ ତ ଓଡିଶୀ, ଛଉ ଶିଖିଛୁ ତୁ ନାଚୁନୁ l ମୋ ମନ ଭିତରେ ଉତ୍ସାହ ବଢିଗଲା  l ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବାପା ଅନୁମତି ନେବା ପରେ ଲକ୍ଷାଧିକ ଭକ୍ତଙ୍କ ଭିଡରେ କର୍ଡନ ଭିତରେ  ପ୍ରଥମେ ଏକାକୀ ଓଡିଶୀ ଓ ଛଉ ର ଫ୍ୟୁଜନ କରି ନାଚିବା ଆରମ୍ଭ କଲି l
ସେହି ଦିନ ଠାରୁ ବାରିପଦାରେ ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରାର ଭିତ୍ତି ପଡିଲା l ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ମୋତେ ସମ୍ମାନିତ କରାଯାଇଛି l ତେଵେ କରୋନା ପରଠାରୁ ଧିରେ ଧିରେ ମୋ ସହ ଅନେକ ନୃତ୍ୟଙ୍ଗନା ଯୋଡି ହୋଇଛନ୍ତି l ଫଳରେ ଏହା ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ହିମାଦ୍ରୀ ତନୟା ଚୌଧୁରୀ ମାନବ ବିଜ୍ଞାନ ରେ ସ୍ନାତକ ପରେ ଏବେ ସେ ଉଚ୍ଚଶିକ୍ଷା ସହ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି l