- ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ: ବିଭାଗୀୟ ସମନ୍ୱୟ ଓ ସଚେତନତା ଉପରେ ଗୁରୁତ୍ୱାରୋପ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ଏଥିପାଇଁ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଟାସ୍କ ଫୋର୍ସର ମିଳିତ ଆନୁକୂଳ୍ୟରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ବାଲ୍ୟ ବିବାହ ନିରାକରଣ ପାଇଁ ଆନ୍ତଃବିଭାଗୀୟ ସମନ୍ୱୟ,ପ୍ରତିରୋଧମୂଳକ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ବୈଠକରେ ଜିଲ୍ଲାରେ ବାଲ୍ୟ ବିବାହର ବର୍ତ୍ତମାନ ସ୍ଥିତି, ଏହାର ପ୍ରମୁଖ କାରଣ, ବିପଦପୂର୍ଣ୍ଣ ଅଞ୍ଚଳ ଚିହ୍ନଟ, ଆଇନର କାର୍ଯ୍ୟକାରୀ ରୂପାୟନ, ସମୁଦାୟ ସ୍ତରରେ ସଚେତନତା ସୃଷ୍ଟି ଏବଂ ବିଭିନ୍ନ ବିଭାଗର ସମନ୍ୱିତ ଭୂମିକା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଜିଲ୍ଲାର ବାଲ୍ୟ ବିବାହ ସମ୍ବନ୍ଧୀୟ ପରିସଂଖ୍ୟାନ, ବର୍ତ୍ତମାନର ସ୍ଥିତି ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ୟୁନିସେଫର ପରାମର୍ଶଦାତା ଡଃ ନେହା ସିଂ ମଧ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ପାଇଁ ପ୍ରସ୍ତୁତ କାର୍ଯ୍ୟଯୋଜନା ଉପସ୍ଥାପନ କରି ବିଭିନ୍ନ ବିଭାଗର ଭୂମିକା ଓ କାର୍ଯ୍ୟକାରୀ ରଣନୀତି ସମ୍ପର୍କରେ ଆଲୋକପାତ କରିଥିଲେ ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ବିଶ୍ୱନାଥ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୌତମ କିଷାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ବୁରୁଡ଼ା, ଜିଲ୍ଲା ସୁରକ୍ଷା ଅଧିକାରିଣୀ ସସ୍ମିତା ମହାନ୍ତି, ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଆଶିଷ ବସନ୍ତିଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ଶୁଭାଶିଷ ନାୟକ , ବାରିପଦା ସହକାରୀ ଶ୍ରମ ଅଧିକାରିଣୀ ପାନମଣୀ ସୋରେନ, ସମେତ ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶକ୍ତି ସଦନ, ସଖୀ କେନ୍ଦ୍ର, ସାଧନା ଅନୁଷ୍ଠାନ ଓ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
