IMG 20261006 WA0402

ମୟୂରଭଞ୍ଜର ମୌଳିକ ସମସ୍ୟା ସମାଧାନ ଦାବିରେ ଭଞ୍ଜସେନାର ସ୍ମାରକପତ୍ର ପ୍ରଦାନ 

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ଦାବିରେ ଭଞ୍ଜସେନା ପକ୍ଷରୁ ଆଜି ରାଇରଙ୍ଗପୁର ବ୍ଲକ ବିଡିଓଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଜିଲ୍ଲାରେ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବାର ଉନ୍ନତି, ବାରିପଦାସ୍ଥିତ ପି.ଆର.ଏମ. ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଧିକ ସୁଦୃଢ଼ କରିବା, ଅଙ୍ଗନବାଡ଼ିଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ସୁଧାର, ଡ୍ରପ୍-ଆଉଟ୍ ହ୍ରାସ ଓ ଶିଶୁ ଶ୍ରମ ନିରାକରଣ ଦାବି କରାଯାଇଛି।
ସେହିପରି ବାଲ୍ୟ ବିବାହ ରୋକିବା, କିଶୋରୀମାନଙ୍କୁ ଉଚ୍ଚଶିକ୍ଷା ଓ କୌଶଳ ବିକାଶର ସୁଯୋଗ ଦେବା ସହ ମୟୂରଭଞ୍ଜର ଯୁବକ-ଯୁବତୀଙ୍କ ପାଇଁ ଜିଲ୍ଲା ମଧ୍ୟରେ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି କରିବାକୁ ଦାବି ହୋଇଛି।
ଭଞ୍ଜସେନା ପକ୍ଷରୁ କୁହାଯାଇଛି ଯେ, ମୟୂରଭଞ୍ଜର ଲୋକେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରୋଜଗାରର ସୁଯୋଗ ଚାହୁଁଛନ୍ତି। ଯୁବପିଢ଼ି ଯେପରି ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଯିବାକୁ ନ ପଡ଼େ, ସେଥିପାଇଁ ସରକାର ଏକ ସମନ୍ୱିତ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସଂଗଠନ ଦାବି କରିଛି।
ଏହି କାର୍ଯ୍ୟକ୍ରମରେ ରାଜୁ ଦାସ ସୋରେନ, ସତ୍ୟ ପ୍ରକାଶ ମାରାଣ୍ଡି, ହିମାଂଶୁ ଶେଖର ଜେନା, ଦେବାଶିଷ ପାତ୍ର ଓ ତନ୍ମୟ ମହାନ୍ତଙ୍କ ସମେତ ଭଞ୍ଜସେନାର ଯୁବ ଓ ଛାତ୍ର ସଂଗଠକମାନେ ଉପସ୍ଥିତ ଥିଲେ।