ବାରିପଦା : ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ରାଜ୍ୟ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଜିଲ୍ଲାସ୍ତରୀୟ ପାଠଚକ୍ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ମିଳନୀରେ ଜିଲ୍ଲାର ୩୦ ଟି ଶିକ୍ଷାକେନ୍ଦ୍ର, ପାଠଚକ୍ର, ସାଧନାଳୟ ଓ ସମାଧି ମନ୍ଦିରର ପ୍ରତିନିଧି ଯୋଗଦେଇଥିଲେ I ରାଜ୍ୟ ନବଜୀବନ ଶିକ୍ଷା ସଂସଦର ସମ୍ପାଦକ ତଥା ପାଠଚକ୍ର ଆନ୍ଦୋଳନର ଅନ୍ୟତମ ସାରଥୀ ଶ୍ରୀପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁର୍ଗା ସ୍ତୋତ୍ର, ‘ମା’ ପୁସ୍ତିକା ୩ୟ ଅଧ୍ୟାୟ ଓ ମାତୃ ସଂଗୀତ ପାଠ କରାଯାଇଥିଲା I
ଜିଲ୍ଲାର ୫ଟି ଗ୍ରାମ ପଂଚାୟତର ପାଠଚକ୍ର ସଂଗଠକ, ୩ଟି ବ୍ଲକର ବ୍ଲକ ସଂଗଠକ ଓ ୩ଟି ଦଶକର୍ମ ଧାରାର ଆବାହକ ନିଜ ନିଜ କ୍ଷେତ୍ରରେ କରିଥିବା କାର୍ଯ୍ୟର ବିବରଣୀ ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I ଶ୍ରୀଅରବିନ୍ଦ ଯୋଗ ଦର୍ଶନର ପ୍ରବକ୍ତା କପିଳାସ ପ୍ରସାଦ ଦାସ ସନାତନ ଧର୍ମର ଭୂମିକା ଭାରତର ଭବିଷ୍ୟତ ଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଏବଂ ଶ୍ରୀଅରବିନ୍ଦ ସିଦ୍ଧି ଦିବସ ଓ ଶ୍ରୀଅରବିନ୍ଦ ଆଶ୍ରମ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ ଅବସରରେ ଜିଲ୍ଲାର ପ୍ରତି ଗ୍ରାମରେ ପାଠଚକ୍ର ପ୍ରତିଷ୍ଠା ଓ ପ୍ରତିଘରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ବାଣୀ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ I
ଗଣେଶ ପ୍ରସାଦ ମହାପାତ୍ର ଜିଲ୍ଲା ବିବରଣୀ ଓ ଶଶୀକାନ୍ତ ଭୋଇ ଆତ୍ମା ଜୋନର ବିବରଣୀ ପାଠ କରିଥିଲେ I ବାରିପଦା ଶିକ୍ଷାକେନ୍ଦ୍ରର ସମ୍ପାଦକ ପ୍ରବୋଧ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଜୟନ୍ତୀ ସର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ I ରାଜ୍ୟ ସଂଗଠନର କପିଳ ଭାଇ ମାତୃ ସଂଗୀତ ଗାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ପ୍ରକାଶ ମହାପାତ୍ର, ରାଜ୍ୟ ସଂଗଠନର ସରୋଜ ପଟ୍ଟନାୟକ, ନାରାୟଣ ଭାଇ ପ୍ରମୁଖ ଉପସ୍ଥିତ ଥିଲେ I
