ବାରିପଦା : ସରକାରଙ୍କ ଶୂନ୍ୟ ଦୁର୍ଘଟଣା ଫେଲ ମାରୁଛି ।ବେଫିକର ଅମାନିଆ ଡ଼୍ରାଇଭର ଯୋଗୁଁ ଜଣେ ସାଇକେଲ ଆରୋହୀ ଜୀବନ ଚାଲିଯାଇଛି । ରାଇରଙ୍ଗପୁର ଗୋଲେଇ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନାଯୋଗ୍ୟ ଆଜି ମଙ୍ଗଳବାର ପୂର୍ବାହ୍ନ ରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଶିମିଳିନାଳି ଗ୍ରାମର ଚାଷୀ ବୀର ମହାନ୍ତ(୬୮) ନିଜ ସାଇକେଲ ଯୋଗେ ରାଇରଙ୍ଗପୁର ସହରକୁ ଘରର ତେଲ ଲୁଣ , ସବଜି କିଣିବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ଗୋଲେଇ ଛକରେ ଯାଉଥିବାବେଳେ ପଛଆଡ଼କୁ ଏକ ମାଲ୍ ଵୋଝେଇ ଲୌହ ଦାନବ ଟ୍ରକ (NL02 Q9319) ଧକ୍କା ଦେବା ଫଳରେ ସାଇକେଲ ସହ ନିରିହ ବୃଦ୍ଧ ପେଶି ହୋଇଯାଇଥିଲେ । ରକ୍ତ ଜୁଡୁବୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।
ଏହି ଘଟଣା କୁ ନେଇ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା l ଖବର ପାଇ ରାଇରଙ୍ଗପୁର ଟାଉନ ଥାନାଧିକାରୀ ରଞ୍ଜନ ସେଠୀ ତାଙ୍କ ସହଯୋଗୀ କର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କୁ ଉଦ୍ଧାର କରିବା ସହ ରାଇରଙ୍ଗପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ସାଇକେଲ ଓ ଟ୍ରକକୁ ଜବତ କରିବା ସହ ଏକ କେଶ ମାମଲା ୨୧୨/୨୬ ମାମଲା ରୁଜୁ କରି ଘଟଣାକୁ ତଦନ୍ତ କରୁଛନ୍ତି । ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରେ ନୂତନ ଏସପି ନିଯୁକ୍ତି ହୋଇଛନ୍ତ । ତେଣୁ ସହରର ଗୋଲେଇ ଛକ, ଦୁର୍ଗାମଣ୍ଡପ ଛକ, ମୁର୍ମୁ ଛକ, ରେଳ ଫାଟକ ଛକ,ମେଡିକାଲ ଛକ, ଗାନ୍ଧୀ ଛକରେ ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ସାଧାରଣ ଜନତା ଏସପି ଙ୍କୁ ଅନୁରୋଧ କରିଛନ୍ତି ।
