IMG 20260707 WA0159

ଜୁଲାଇ 11 ରେ ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା : ପ୍ରଥମ ଜାତୀୟ ନାଟ୍ୟ ଉତ୍ସବ–୨୦୨୫ ର ଅଭୂତପୂର୍ବ ସଫଳତା ପରେ ଚଳିତ ବର୍ଷ ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ଆସନ୍ତା ଅଗଷ୍ଟ ୧୮ରୁ ୨୬ ପର୍ଯ୍ୟନ୍ତ ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଯାଉଅଛି I ବାରିପଦା ର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ” ଆମେ ବାରିପଦା ” ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପ୍ରଖ୍ୟାତ ନାଟ୍ୟଦଳ ସେମାନଙ୍କର ଶ୍ରେଷ୍ଠ ନାଟକ ପରିବେଷଣ କରିବେ I
ଏହି ମହୋତ୍ସବର ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ୧୧ ଜୁଲାଇ (ଶନିବାର) ଅପରାହ୍ନ ୪ଟାରେ ବାରିପଦା ଷ୍ଟାଡିୟମ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସମ୍ପାଦକ ଚିନ୍ମୟ କୁମାର ଦାସପଟ୍ଟନାୟକ ଏବଂ ସଭାପତି ଡ଼. କୈଳାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି I ଚଳିତ ବର୍ଷ ନାଟ୍ୟ ଉତ୍ସବରେ ଯୁବପିଢିଙ୍କୁ ନାଟକ ପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସମ୍ପାଦକ ଶ୍ରୀ ଦାସ ପଟ୍ଟନାୟକ ପୂର୍ବ ପ୍ରସ୍ତୁତି ବୈଠକରେ ଜଣାଇଛନ୍ତି I
ପ୍ରସ୍ତୁତି ବୈଠକରେ ଉତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ପ୍ରତିଯୋଗିତାର ନିୟମାବଳୀ ଓ ଅନ୍ୟାନ୍ୟ ଆୟୋଜନ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରକାଶ କରିଛନ୍ତି I ସମସ୍ତ ନାଟ୍ୟପ୍ରେମୀ, କଳାକାର, ସାଂସ୍କୃତିକ କର୍ମୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ କଳା-ସଂସ୍କୃତିପ୍ରେମୀ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଉକ୍ତ ପ୍ରସ୍ତୁତି ବୈଠକରେ ଯୋଗଦେଇ ଉତ୍ସବକୁ ସଫଳ କରିବାକୁ ସଭାପତି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି I