ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି । ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ବିଟିଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ ପଦକରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଭାରତ ଇଣ୍ଡୋନେସିଆ ସେନାକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଯୋଗାଇବ ବୋଲି ଚୁକ୍ତି ସ୍ବାକ୍ଷର କରିଛନ୍ତି ।
ଏହି ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘‘ସ୍ବାଗତ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋଓଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଗତ ବର୍ଷ ଭାରତର ଗଣତନ୍ତ୍ର ଦିବସରେ ତାଙ୍କୁ ଆମେ ଅତିଥି ଭାବେ ସ୍ବାଗତ କରିବାର ସୁଯୋଗ ପାଇଥିଲୁ । ଆଜି ତାଙ୍କ ଆତ୍ମୀୟତା ନିମନ୍ତ୍ରଣରେ ଇଣ୍ଡୋନେସିଆ ଗସ୍ତରେ ମୁଁ ଆନନ୍ଦିତ । ଆଜି ସକାଳେ ମୋତେ ବହୁତ ସ୍ନେହ ଏବଂ ସମ୍ମାନ ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଦିଆଯାଇଛି। ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କର, ଇଣ୍ଡୋନେସିଆର ଲୋକଙ୍କ ଭାବନାର । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର । ମୁଁ ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆ ସରକାର ଏବଂ ଏଠାକାର ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘୨୦୧୮ର ବ୍ୟାପକ ରଣନୈତିକ ସହଭାଗୀତା ଆଜି ଏକ ନୂଆ ଉଡାଣ ନେଉଛି । ବିକାଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଆମେ ଅଗ୍ରଗତି କରୁଛୁ । ମୁଁ ନିଶ୍ଚିତ ଯେ ଆଜି ଭାରତ-ଇଣ୍ଡୋନେସିଆ ସହଭାଗୀତାର ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହେବ। ଆମ ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ବିଶ୍ୱାସ ଆମର ପ୍ରତିରକ୍ଷା, ସୁରକ୍ଷା ଏବଂ ସାମୁଦ୍ରିକ ସହଯୋଗକୁ ମଜବୁତ କରୁଛି। ଆଜି ଆମେ ପ୍ରତିରକ୍ଷା ଆଦାନପ୍ରଦାନ, ବିପର୍ଯ୍ୟୟ ପରିଚାଳନା ଏବଂ ଶିଳ୍ପ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛୁ ।”
ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଦୁଇ ଦେଶ ମଧ୍ୟରେ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଭାରତ ଇଣ୍ଡୋନେସିଆ ପାଇଁ ସ୍ବତନ୍ତ୍ର EVM ବିକାଶ କରିବାରେ ସାହାଯ୍ୟ କରିବ । ଯଦି ଏହା ହୁଏ ତେବେ ଏହାକୁ ଭାରତର ନିର୍ବାଚନ ପରିଚାଳନା ମଡେଲକୁ ଅଧିକ ମାନ୍ୟତାରେ ଦେଖାଯିବ । ଅପରେସନ୍ ସିନ୍ଦୁର ସମୟରେ ଏୟାର-ଟୁ-ଏୟାର ମିସାଇଲର ସଫଳତା ପରେ ଭାରତଠାରୁ ଘାତକ ଅସ୍ତ୍ର ମିସାଇଲ କିଣିବାକୁ ଇଣ୍ଡୋନେସିଆ ନିଷ୍ପତ୍ତି ନେଇଛି ।
ଭାରତ ଇଣ୍ଡୋନେସିଆରେ ଅତ୍ୟାବଶ୍ୟକୀୟ ଖଣିଜ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ଷ୍ଟିଲ୍, ନିକେଲ ଏବଂ ପରମାନେଣ୍ଟ ମ୍ୟାଗନେଟ୍ ଉତ୍ପାଦନରେ ନିବେଶ କରିବ । ଇଣ୍ଡୋନେସିଆ ଏହାର ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଣ୍ଡାରକୁ ବୃଦ୍ଧି କରୁଛି । ତେଣୁ ଭାରତ ଅଧିକ ବ୍ୟାଟେରୀ ଯୋଗାଇବାର ସାହାଯ୍ୟ କରିବ । ଭାରତ ଏବଂ ଇଣ୍ଡୋନେସିଆ ଏକାଠି ସାବାଙ୍ଗ ବନ୍ଦର ବିକଶିତ କରିବେ । ଏହି ବନ୍ଦର ମାଲାକ୍କା ପ୍ରଣାଳୀ ନିକଟରେ ଅବସ୍ଥିତ ଏବଂ ଭାରତର ଗ୍ରେଟ୍ ନିକୋବର ବନ୍ଦର ପ୍ରକଳ୍ପରୁ ୧୦୦ ମାଇଲ ଦୂରରେ ଅବସ୍ଥିତ । ଇଣ୍ଡୋନେସିଆର ଭୌଗୋଳିକ ସ୍ଥିତି ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସବୁଠାରୁ ସମ୍ବେଦନଶୀଳ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ ମାଲାକ୍କା ପ୍ରଣାଳୀରେ ଏହାର ଅବସ୍ଥିତି ଇଣ୍ଡୋନେସିଆକୁ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଂଶୀଦାର କରିଛି ।
ଦୁଇ ଦେଶ ମଧ୍ୟରେ ରକ୍ଷା ସମ୍ବନ୍ଧ କିମ୍ବା ମିଳିତ ସଂଯୁକ୍ତ ସୈନ୍ୟ ଅଭ୍ୟାସ ପର୍ଯ୍ୟନ୍ତ ସୀମିତ ନୁରହେଁ ବରଂ ପ୍ରତିରକ୍ଷା-ଶିଳ୍ପ ସହଯୋଗରେ ପରିଣତ ହୋଇଛି । ଭାରତ ଏଥର ପ୍ରଥମ ଥର ଇଣ୍ଡୋନେସିଆର ବହୁରାଷ୍ଟ୍ରୀୟ ଗରୁଡ଼ ଷ୍ଟିଲ୍ ସୈନ୍ୟ ଅଭ୍ୟାସ ସହିତ ସିଧାସଳଖ ନିଜ ସୈନ୍ୟଙ୍କ ସହିତ ଅଂଶ ଗ୍ରହଣ କରିବ, ପର୍ଯ୍ୟବେକ୍ଷକ ଭାବରେ ନୁହେଁ ବରଂ ଯାହା ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ବଢୁଥିବା ସମନ୍ବୟକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ।
