ୱାୟନାଡ଼: କେରଳମରେ ପୁଣି ରଚିଲା ପ୍ରକୃତିର ତାଣ୍ଡବ। ମଙ୍ଗଳବାର ଦିନ କେରଳର ୱାୟନାଡ ଜିଲ୍ଲାର ମେପାଡି ନିକଟ କଲାଡି ମୀନାକ୍ଷୀ ବ୍ରିଜ୍ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।
ମଲାପ୍ପୁରମ୍ ଏବଂ ୱାୟାନାଡ୍ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ଟନେଲ୍ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିଶମ ଏବଂ ଉଦ୍ଧାର ସେବା ଅଧିକାରୀଙ୍କ ଅନୁଯାୟୀ, ଭୂସ୍ଖଳନ ବିଷୟରେ ସୂଚନା ପାଇବା ପରେ କାଲପେଟ୍ଟାରୁ ଜରୁରୀକାଳୀନ ଦଳଗୁଡ଼ିକୁ ତୁରନ୍ତ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ଭିଡି ସତିସନ୍ ଜିଲ୍ଲାର ମନ୍ତ୍ରୀମାନଙ୍କ ସହିତ ଏକ ଜରୁରୀ ବୈଠକ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ସତିସନ୍ ମନ୍ତ୍ରୀ ଆପି ଅନିଲ କୁମାର ଏବଂ ଟି ସିଦ୍ଦିକଙ୍କୁ ୱାୟାନାଡ ଯାଇ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
