ବାରିପଦା : ବହୁ ପ୍ରତୀକ୍ଷିତ ସାନ୍ତାଳୀ ଡିଜିଟାଲ ପୋର୍ଟାଲ ‘ସାନ୍ତାଲ୍ ଭଏସେସ ’ ହୁଲ ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅନଲାଇନ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭାରମ୍ଭ ହୋଇଛି। ସାନ୍ତାଳୀ ଭାଷା, ସାହିତ୍ୟ, ଇତିହାସ ଓ ସଂସ୍କୃତିର ଡିଜିଟାଲ ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର-ପ୍ରସାର ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାରତ, ନେପାଳ ଓ ବାଂଲାଦେଶର ବିଭିନ୍ନ ସମ୍ପାଦକ, ଅବଦାନକାରୀ ଏବଂ ସାନ୍ତାଳୀ ଭାଷାର ଡିଜିଟାଲ କର୍ମୀମାନେ ଯୋଗଦେଇଥିଲେ। ଏହି ତିନୋଟି ଦେଶର ସାନ୍ତାଳୀ ସମ୍ପ୍ରଦାୟର ସମ୍ମିଳିତ ପ୍ରୟାସରେ ଏହି ପୋର୍ଟାଲ କରଜୟକ୍ଷମ କରାଯାଇଛି
‘ସାନ୍ତାଲ୍ ଭଏସେସ ’ ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ ପରିଚାଳିତ ଏକ ୱେବସାଇଟ୍, ଯାହାର ମୁଖ୍ୟ ଉଦ୍ଦେଶ୍ୟ ସାନ୍ତାଳୀ ଭାଷା, ସଂସ୍କୃତି, ଇତିହାସ, ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିତ୍ୱ ଓ ସମକାଳୀନ ଘଟଣାବଳୀ ସମ୍ବନ୍ଧୀୟ ପ୍ରାମାଣିକ ତଥ୍ୟକୁ ବିଶ୍ୱ ସମୁଦାୟଙ୍କ ସମ୍ମୁଖରେ ପହଞ୍ଚାଇବା। ଏହି ଅବସରରେ ସାନ୍ତାଳୀ ଭାଷାର ଡିଜିଟାଲ କର୍ମୀ ରାମଜିତ ଟୁଡୁ କହିଥିଲେ ଯେ ସମ୍ପ୍ରତି ଡିଜିଟାଲ ଯୁଗରେ ସାନ୍ତାଳ ସମାଜ ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଣ୍ଟରନେଟରେ ଅନୁପସ୍ଥିତ ଥିବାରୁ, ସେହି ଅଭାବକୁ ପୂରଣ କରିବା ଏହି ପୋର୍ଟାଲର ମୂଳ ଲକ୍ଷ୍ୟ। ସାନ୍ତାଳ ସମାଜ ସମ୍ବନ୍ଧୀୟ ବହୁ ମୂଲ୍ୟବାନ ତଥ୍ୟ ଏପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ନାହିଁ। ଏହି ତଥ୍ୟଗୁଡ଼ିକୁ ସଂଗ୍ରହ, ସଂରକ୍ଷଣ ଓ ବିଶ୍ୱସମ୍ମୁଖରେ ଉପସ୍ଥାପନ କରିବା ସାନ୍ତାଲ୍ ଭଏସେସର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
ଏହି ପୋର୍ଟାଲର ପରାମର୍ଶଦାତା ମଣ୍ଡଳୀରେ ଭାରତର ଆର୍. ଅଶ୍ୱିନୀ ବଞ୍ଜନ ମୁର୍ମୁ, ରାମଜିତ ଟୁଡୁ ଓ ଫାଗୁ ବାସ୍କେ ଥିବାବେଳେ, ବାଂଲାଦେଶରୁ ମାନିକ ସୋରେନ ପରାମର୍ଶଦାତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହାସହ ନେପାଳର ଶିବୁ ମୁର୍ମୁ ଏବଂ ବାଂଲାଦେଶର ଆଲବର୍ଟସ ଟୁଡୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ଆଞ୍ଚଳିକ ସମନ୍ୱୟ ଓ ବିଷୟବସ୍ତୁ ବିକାଶରେ ସହଯୋଗ କରିବେ। ୱେବସାଇଟ୍ର ମୁଖ୍ୟ ସମ୍ପାଦକ କାରିଆ ବାସ୍କେ ଥିବାବେଳେ, ବୋଦି ବାସ୍କି, ପ୍ରଶାନ୍ତ ହେମ୍ବ୍ରମ, ସୁଭାଷ କିସ୍କୁ, ବିଜେନ୍ଦ୍ର ହାଁସଦା ଏବଂ ଶେଖର ମୁର୍ମୁ , ପଶ୍ଚିମବଙ୍ଗ ଓ ଓଡ଼ିଶା ଝାଡ଼ଖଣ୍ଡରୁ ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଦକ୍ଷିଣ ଏସିଆର ବିଭିନ୍ନ ଅଞ୍ଚଳର ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ‘ସାନ୍ତାଲ୍ ଭଏସେସ ’ ସାନ୍ତାଳ ସମାଜର ଇତିହାସ, ଐତିହ୍ୟ, ସଫଳତା ଓ ସମକାଳୀନ ଘଟଣାବଳୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସର୍ବାଧିକ ବିଶ୍ୱସନୀୟ ଇଂରାଜୀ ଡିଜିଟାଲ ପୋର୍ଟାଲ ହେବାର ଲକ୍ଷ୍ୟ ରଖିଛି।
