ବଲାଙ୍ଗୀର: ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀ ବସ୍କୁ ଅଧା ରାସ୍ତାରେ ଅଟକାଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଛନ୍ତି। ବନ୍ଧୁକ ମୁନରେ ଜୀବନ ପ୍ରତି ବିପଦ ଥିବା ଦେଖି ବସ୍ ଷ୍ଟାଫ୍ମାନେ ଭୟରେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ବନମାଳ ଗାଁ ଦେଇ ବସ୍ଟି ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଗାଁ ଭିତରେ ଜଣେ ଯୁବକ ହଠାତ୍ ବସ୍ ସାମ୍ନାକୁ ଆସି ରାସ୍ତା ମଝିରେ ଗାଡ଼ି ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସେ ଏକ ବନ୍ଧୁକ ବାହାର କରି ବସ୍ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଅଭିଯୁକ୍ତର ଏଭଳି ଉଗ୍ର ରୂପ ଓ ହାତରେ ବନ୍ଧୁକ ଦେଖି ବସ୍ରେ ଥିବା କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ପ୍ରାଣ ବିକଳରେ ବସ୍ ଛାଡ଼ି ସେଠାରୁ ପଳାଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଖୋଳତାଡ଼ରୁ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ନବୀନ ସାହୁ ବୋଲି ପୋଲିସ ଚିହ୍ନଟ କରିଛି। ଘଟଣା ପରେ ଅଭିଯୁକ୍ତ ନବୀନ ଫେରାର୍ ଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ କେଉଁ କାରଣରୁ ନବୀନ ଏଭଳି କାଣ୍ଡ ଘଟାଇଲା ଏବଂ ତା’ ପାଖକୁ ବନ୍ଧୁକ କେଉଁଠୁ ଆସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।
