IMG 20260701 WA0039

ବରଗଡ଼ରେ ୧,୭୫୦ କୋଟିର ମେଗା ଇଥାନଲ ପ୍ଲାଣ୍ଟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ରାଜ୍ୟ

ବରଗଡ଼: ପଶ୍ଚିମ ଓଡ଼ିଶାର ଶିଳ୍ପ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବରଗଡ଼ଠାରେ ପ୍ରତିଷ୍ଠିତ ୧,୭୫୦ କୋଟି ଟଙ୍କାର ଏକ ବିଶାଳ ବାୟୋ-ଇଥାନଲ ପ୍ଲାଣ୍ଟର ଶୁଭାରମ୍ଭ କରିବେ। ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL) ଦ୍ୱାରା ନିର୍ମିତ ଏହି ମେଗା ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ଅର୍ଥନୀତିକୁ ବେଶ୍ ଗତିଶୀଳ କରିବ ବୋଲି ଆଶା କରାଯାଉଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ହାଇପ୍ରୋଫାଇଲ୍ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

ଧାନର ଗୋଦାମ କୁହାଯାଉଥିବା ବରଗଡ଼ରେ ପ୍ରଧାନମନ୍ତ୍ରୀ ଜୀବନ ଯୋଜନା ଅଧୀନରେ ଏହି ଗ୍ରେନ୍-ବେସଡ୍ (ଧାନ ଏବଂ ନଡ଼ା ଆଧାରିତ) ୧G ଓ ୨G ବାୟୋ-ରିଫାଇନାରୀ ପ୍ରତିଷ୍ଠା କରାଯାଇଛି। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ଲାଣ୍ଟର ଦୈନିକ ଉତ୍ପାଦନ କ୍ଷମତା ପ୍ରାୟ ୨୦୦ କିଲୋଲିଟର ରହିବ, ଯାହା ଦେଶର ଇଥାନଲ ବ୍ଲେଣ୍ଡିଂ କାର୍ଯ୍ୟକ୍ରମକୁ ବେଶ୍ ସହାୟତା କରିବ। ଏହାଦ୍ୱାରା ସ୍ଥାନୀୟ ଚାଷୀମାନେ ନଡ଼ା ବିକ୍ରି କରି ବେଶ୍ ଲାଭବାନ ହୋଇପାରିବେ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଗସ୍ତକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜୁଲାଇ ୪ (ଶନିବାର) ଅମିତ ଶାହ ପ୍ରଥମେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସଡ଼କ ପଥରେ ସିଧାସଳଖ ବରଗଡ଼ ଅଭିମୁଖେ ଯାତ୍ରା କରିବେ। ବରଗଡ଼ରେ ମେଗା ଇଥାନଲ ପ୍ଲାଣ୍ଟର ଉଦଘାଟନ କରିବା ସହ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ। ଏହାପରେ ସେ ସମ୍ବଲପୁର ଅଭିମୁଖେ ବାହାରିବେ ଏବଂ ସେଠାରେ ରାତ୍ରିଯାପନ କରିବେ।

ଜୁଲାଇ ୫ (ରବିବାର) ଗସ୍ତର ଦ୍ୱିତୀୟ ଦିନରେ ଶାହ ସମ୍ବଲପୁରରେ ପ୍ରସିଦ୍ଧ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସେଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାବାଦ୍ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ସହ ଏକ ରୁଦ୍ଧଦ୍ୱାର ସାଂଗଠନିକ ବୈଠକ କରି ସେହିଦିନ ହିଁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଗୃହମନ୍ତ୍ରୀଙ୍କର ଏହା ପ୍ରଥମ ଥର ପଶ୍ଚିମ ଓଡ଼ିଶା ଗସ୍ତ ହୋଇଥିବାରୁ ଏହାକୁ ନେଇ ଦଳୀୟ ଶିବିର ବେଶ୍ ଚଳଚଞ୍ଚଳ ହୋଇଉଠିଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାହଙ୍କ ଏହି ଗସ୍ତ ପଶ୍ଚିମ ଓଡ଼ିଶାର ରାଜନୈତିକ ସମୀକରଣକୁ ଆହୁରି ସୁଦୃଢ଼ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।