ବାରିପଦା : ଆଜି ଅପରାହ୍ନ ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ଙ୍କ ଅଧ୍ୟକ୍ଷତାରେ ବାମନଘାଟୀ ଉପଖଣ୍ଡ ସଦରମହକୁମା ରାଇରଙ୍ଗପୁର ଷ୍ଟାଡିଅମ ପଡିଆ ଠାରେ ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ପାଳିତ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସ -୨୦୨୬ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ରାଇରଙ୍ଗପୁର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରିଥିଲେ |
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର କହିଥିଲେ ଏହି ଜାତୀୟ ଦିବସକୁ ଉପଖଣ୍ଡ ସ୍ତରରେ ସୁନ୍ଦର, ଆକର୍ଷଣୀୟ ତଥା ଶୃଖଂଳିତ ଭାବେ ପାଳନ କରିବା ପାଇଁ ଯେଉଁ ବିଭାଗ ର ଯେଉଁ ଦାୟିତ୍ୱ ରହିଛି ତାହାକୁ ସକାରାତ୍ମକ ମନଭାବରେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର କହିଥିଲେ ଯେ ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା କାର୍ଯ୍ୟକ୍ଷମ ହେବାପରେ ଚଳିତ ବର୍ଷ ପ୍ରଥମ କରି ଏହି ଜାତୀୟ ଦିବସକୁ ଜିଲ୍ଲା ସ୍ତରୀୟ ଢଙ୍ଗରେ ପାଳନ କରାଯିବ ଏବଂ ଏହାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଭାବେ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ଉଦ୍ୟମ କରାଯିବ।ଏହାପରେ ପୂର୍ବ ବର୍ଷ କାର୍ଯ୍ୟକ୍ରମକୁ ଅନୁଧ୍ୟାନ ପୂର୍ବକ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା |
ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ଗଠନ , ଦିବସ ପାଳନ ଦିନ ଡାକବାଜି ଯନ୍ତ୍ର ଯୋଗେ ସହରାଞ୍ଚଳ ରେ ରାମଧୂନ ପରିବେଷଣ, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ, ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା, ପ୍ୟାରେଡ ପରିଚାଳନା, ଆପାତ୍ତକାଳୀନ ସ୍ୱାସ୍ଥ୍ୟ ସେବା,ଅତିଥି ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ, ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଏବଂ ସମ୍ବର୍ଦ୍ଧନା, ଦିବସ ପାଳନ ଦିନ ଉପଖଣ୍ଡ ଚିକିତ୍ସାଳୟର ରୋଗୀ ଏବଂ ଉପ-କାରଗାରର ଅନ୍ତେବାସୀ ମାନଙ୍କୁ ଫଳ-ବିସ୍କୁଟ ବଣ୍ଟନ ଓ ଆନୁଷ୍ଠାନିକ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ପ୍ୟାରେଡ ଦଳଙ୍କୁ ବିସ୍କୁଟ-ଲଡ଼ୁ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ|
ଅନୁଷ୍ଠିତ ଉକ୍ତ ବୈଠକରେ ପୋଲିସ ବିଭାଗର ବିଭିନ୍ନ ପଦାଧିକାରୀ,ଉପଖଣ୍ଡ ସ୍ତରୀୟ ବିଭିନ୍ନ ପଦାଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ ସି ସି ଅଧକାରୀ,ବରିଷ୍ଠ ନାଗରିକ,ଆଇନଜୀବୀ| ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପଜିଲ୍ଲାପାଳ ଶ୍ରୀ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ପରିଚାଳନା ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ସହଯୋଗ କରିଥିଲେ.
