ବାରିପଦା : ଚଳିତ ତା ୧୯ଜୁନ ୨୦୨୬ ରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭୁବନେଶ୍ୱର ଏମ୍ସ ଚିକିତ୍ସାଳୟର ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ନିଶୁଳ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଇତିମଧ୍ୟରେ ଭୁବନେଶ୍ୱରର ଏମ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଇଓ ଡଃ ଆଶୁତୋଷ ବିଶ୍ୱାସ, ମେଡିକାଲର ନିର୍ଦ୍ଦେଶକ ଡଃ ପ୍ରଭାସ ରଞ୍ଜନ ତ୍ରିପାଠୀ, ବିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଜିତ ସରକାର, ଲୋକ ସମ୍ପର୍କ ଅଧିକାରୀ (ପିଆରଓ) ରାଜକିଶୋର ଦାସ , ସହକାରୀ ପ୍ରଶାସନିକ ଅଧିକାରୀ ଦିବ୍ୟ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଧନୁର୍ଜୟ ମହାନ୍ତ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ପଦାଧିକାରୀ ପ୍ରମୁଖ ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସମସ୍ତ ବିଭାଗ ଅନୁଧ୍ୟାନ କରିଛନ୍ତି।
ଶିବିରର ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡଃ ରବୀନ୍ଦ୍ରନାଥ ମାରାଣ୍ଡି, ହସ୍ପିଟାଲ ମ୍ୟାନେଜର ଆଲୋକ ଗୋଛାୟତ ସହାୟତା କରିଥିଲେ । ଏହି ଅବସରରେ ଏମ୍ସର ସି ଇ ଓ ଡା. ବିଶ୍ୱାସ ସୂଚୀତ କରିଥିଲେ ଯେ ଉପଖଣ୍ଡ ଚିକିତ୍ସାଳୟରେ ଚଳିତ ମାସ ୧୯ ତାରିଖ ଦିନ ଏମ୍ସ ଚିକିତ୍ସାଳୟର ବିଶେଷଜ୍ଞ ଦ୍ୱାରା ଏକ ସ୍ୱତନ୍ତ୍ର ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହେବ । ବିଶେଷତଃ ବାମନଘାଟୀ ଉପଖଣ୍ଡ ସହିତ କରଞ୍ଜିଆ ଉପଖଣ୍ଡ ଏବଂ ଏହାର ଆଖପାଖ ଅଂଚଳର ବିଭିନ୍ନ ରୋଗରେ ଦୀର୍ଘକାଳୀନ ପୀଡ଼ିତ ରୋଗୀମାନେ ଏଠାରେ ବିଶେଷଜ୍ଞଙ୍କୁ ଦେଖାଇ ପରାମର୍ଶ ନେଇ ପାରିବେ।
ଏଠାରେ ହୃଦରୋଗ , ସ୍ନାୟୁ ରୋଗ, ମେଡିସିନ, ଚର୍ମ, ଇ ଏନ ଟି (ନାସା -ଗଳା-କର୍ଣ୍ଣ ), ଚକ୍ଷୁ , ପେଡିଆଟ୍ରିକ୍ସ, ସର୍ଜରୀ, କିଡନୀ, ପ୍ରସୂତି ଓ ସ୍ତ୍ରୀ ରୋଗ , ମେଡିସିନ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ରୋଗର ଚିକିତ୍ସା ତଥା ପରୀକ୍ଷା ଇତ୍ୟାଦି ମାଗଣାରେ ଉପଲବ୍ଧ ହେବ। ଏତଦ ବ୍ୟତୀତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ପାଇବା ସହିତ ରୋଗୀମାନେ ସହଜରେ ଔଷଧ ଓ ଚିକିତ୍ସା ସୁବିଧା ନେବେ ବୋଲି ପ୍ରକାଶ କରିଥିଲେ। ତେଣୁ ଅଞ୍ଚଳର ରୋଗୀ ଏବଂ ଜନସାଧାରଣ ଏହି ସ୍ୱତନ୍ତ୍ର ନିଶୁଳ୍କ ସ୍ୱାସ୍ଥ୍ୟ ସେବାର ବହୁଳ ସୁଯୋଗ ନେବାକୁ ଏମ୍ସ ତରଫରୁ ନିବେଦନ କରାଯାଇଛି।
