Z111

 ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ରାଜ୍ୟ
ବାରିପଦା :  ମୟୂରଭଞ୍ଜ ଜିଲ୍ଲ ବହଳଦା  ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ  ଅନ୍ତର୍ଗତ ଅଁଳାଯୋଡି ଗ୍ରାମ ପଞ୍ଚାୟତର କୁଳୁତା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ନୂତନ ବିଦ୍ୟାଳୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହଳଦା ବିଇଓ ଶୁଭଶ୍ରୀ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବହଳଦା ବିଡିଓ ଶରତ କୁମାର ମଲ୍ଲିକ, ବରିଷ୍ଠ ବିଜେପି ନେତା ନବୀନ ରାମ, ବାପି ଦାସ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ଏହି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜାମଦା ବ୍ଲକର ତେଣ୍ଡରା, ବହଳଦା ବ୍ଲକର କୁଳୁତା ଓ ରାଇରଙ୍ଗପୁର ବ୍ଲକର ଭାଲୁବାସା ପଞ୍ଚାୟତ ଅନ୍ତର୍ଗତ ବଡ଼ବାଇକଳାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହିପରି ଜାମଦା ଓ ତିରିଂରେ ନୂତନ ବସ୍‌ ଷ୍ଟାଣ୍ଡ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।
ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ  ମାଝୀ ଓ ବିଧାୟକ ଶ୍ରୀ  ନାଏକ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ନେଇ ଆଶା ପ୍ରକାଶ କରିଥିଲେ। ନୂତନ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଲେ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ପରିବେଶର ସୁବିଧା ପାଇବେ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।