ବାରିପଦା : ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୨୬ ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୬ ରେ କୃତିତ୍ଵ ଅର୍ଜନ କରିଥିବା କେ.ଜି.ବି.ଭି. ଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଆଜି ସ୍ଥାନୀୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ବାରିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶ୍ରୀ କସ୍ତୁରୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର ମୁଣ୍ଡୁଲିଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ସିଂ, ଶ୍ରୀ ଶଶୀଧର ସିଂ, ଶ୍ରୀ ଗୌତମ ପାତ୍ର ଯୋଗ ଦେଇ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କେ.ଜି.ବି.ଭି. ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ, କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ । ନିଜ ଜୀବନରେ ଲକ୍ଷ ସ୍ଥିର କରିବା, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଉଦ୍ୟମ ଜାରିରଖିବାକୁ ପଡିବ । ଅତିରିକ୍ତ ଜିଲ୍ଲାପାଳ ନିଜେ ଅଙ୍ଗେ ନିଭାଇଥିବା ବିଫଳତା ଓ ସଫଳତାର ମନ୍ତ୍ର ଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ ।
କୃତି ଛାତ୍ରୀମାନେ ନିଜ ଜୀବନର ଲକ୍ଷ କଣ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ମହୋଦୟା ଛାତ୍ରୀମାନେ ଗୁରୁଜନ ମାନଙ୍କୁ, ପିତାମାତାଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ ଯାହାଙ୍କ ମାର୍ଗଦର୍ଶନରେ ନିଜ ଭବିଷ୍ୟତ ଗଢିବାକୁ ସ୍ଵପ୍ନ ଦେଖିଛନ୍ତି ତାଙ୍କୁ କେବେବି ନଭୁଲିବାକୁ ପରାମର୍ଶ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର, ଓଡ଼ିଶାର ତଥା ଦେଶର ସେବା କରିବା ନିମନ୍ତେ ନିଜକୁ ସାମିଲ କରିବାକୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କ ଇଛାମୁତାବକ ପାଣ୍ଠି (Discretionary Grant) ରୁ ୭୮ ଜଣ ଛାତ୍ରୀଙ୍କୁ (ପ୍ରତି କେ.ଜି.ବି.ଭି. ର ଦଶମ ବାର୍ଷିକ ପରୀକ୍ଷା-୨୦୨୬ ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ୩ ଜଣ ଛାତ୍ରୀଙ୍କୁ) ଟ.୧୦,୦୦୦/-(ଦଶ ହଜାର ଟଙ୍କା) ଲେଖାଏ ଅର୍ଥରାଶି ପ୍ରଦାନ କରାଗଲା । ଉକ୍ତ ଅର୍ଥରାଶି ଛାତ୍ରୀମାନେ ନିଜର ଉଚ୍ଚ ଶିକ୍ଷା ନିମନ୍ତେ ଖର୍ଚ୍ଚ କରିବେ । ମୋଟ ଟ.୭,୮୦,୦୦୦.୦୦ ଟଙ୍କା ୭୮ଜଣ କେ.ଜି.ବି.ଭି. ଛାତ୍ରୀଙ୍କ ଜମାଖାତାକୁ ପ୍ରେରଣ କରାଗଲା । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଡମି ଚେକ୍ ମାଧ୍ୟମରେ ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ।
ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ଛାତ୍ରୀମାନଙ୍କ ଉତ୍ତରତ୍ତର କାମନା କରିବା ସହିତ ଭଲ ପାଠ ପଢିବା , ସୃଙ୍ଖଳିତ ଛାତ୍ରୀ ହେବା ସହିତ ଗୁଣବତୀ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରୀ ଶିଶିର ମୁଣ୍ଡୁଲିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ବିନୋଦ ସିଂ ଓ ଶ୍ରୀ ଶଶୀଧର ସିଂ ସମ୍ବର୍ଦ୍ଧନା ସଭାରେ ଛାତ୍ରୀଙ୍କୁ ନିଜନିଜର ଶୁଭ ବାର୍ତ୍ତା ଦେବା ସହିତ ଉତ୍ତରତ୍ତର କାମନା କରିଥିଲେ ।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଜିଲ୍ଲାର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ ପରିଚାଳନା କରିଥିଲେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୋଟ ୭୮ ଜଣ କେ.ଜି.ବି.ଭି. ଛାତ୍ରୀ, ୨୬ ଜଣ ପ୍ରଧାନଶିକ୍ଷକ ଓ ୱାର୍ଡେନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମଗ୍ର ଶିକ୍ଷା, ମୟୂରଭଞ୍ଜ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
