IMG 20260602 WA0205

 ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଅବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ତଥା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକର ବନ୍ଦୋବସ୍ତ ନିମନ୍ତେ ସାର୍ବଜନୀନ ଲଟେରି ପ୍ରକ୍ରିୟା ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ସଫଳତାର ସହ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ୫୩ଟି ଦୋକାନ ପାଇଁ ମୋଟ ୩୮୮ ଜଣ ଯୋଗ୍ୟ ଆବେଦନକାରୀ ଲଟେରି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ବେଳେ ସମଗ୍ର ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ ଏବଂ ସୁବ୍ୟବସ୍ଥିତ ଭାବେ ଅନୁଷ୍ଠିତ ହୋଇଥିଲା।
                      ଚଳିତ ବର୍ଷ ଜିଲ୍ଲାର ମୋଟ ୭୨ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ କେବଳ ୫୩ଟି ଦୋକାନ ପାଇଁ ଆବେଦନକାରୀ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ ୩୮୮ ଜଣ ଯୋଗ୍ୟ ବିବେଚିତ ଆବେଦନକାରୀ ମନୋନୀତ ହୋଇ ଲଟେରିରେ ଭାଗ ନେଇଥିଲେ। ପ୍ରତ୍ୟେକ ଦୋକାନ ପାଇଁ ଆବେଦନକାରୀମାନେ ଦୋକାନର ସ୍ଥାନ ଅନୁଯାୟୀ ପର୍ଯ୍ୟାୟକ୍ରମେ ଲଟେରିରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ସଫଳ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା।
                     ଲଟେରିର ଫଳାଫଳ ତୁରନ୍ତ ଇ-ଅବକାରୀ ପୋର୍ଟାଲରେ ଅପଲୋଡ୍ କରାଯାଇଥିବା ବେଳେ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରବେଶ ଦ୍ୱାରରେ କଡ଼ା ସୁରକ୍ଷା ଯାଞ୍ଚ କରାଯାଇଥିବା ବେଳେ କେବଳ ଆବେଦନକାରୀ ଓ ସେମାନଙ୍କ ଅନୁମୋଦିତ ପ୍ରତିନିଧିଙ୍କୁ ସଭାଗୃହରେ ପ୍ରବେଶ ଅନୁମତି ଦିଆଯାଇଥିଲା । ସମଗ୍ର ଲଟେରି ପ୍ରକ୍ରିୟାର ସ୍ୱଚ୍ଛତାର ପ୍ରମାଣ ବଜାୟ ରଖିବାକୁ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା।
                      ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ସୟ ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ, ଆବକାରୀ ବିଭାଗ ଏବଂ ପୋଲିସ ବିଭାଗର କର୍ମଚାରୀମାନଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
                     ଉକ୍ତ କାର୍ଯ୍ୟକ୍ରମରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ  ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କଁଅରଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।