ନୂଆଦିଲ୍ଲୀ : ଆମେରିକୀୟ ଏଜେନ୍ସୀ ଅବୈଧ ଭାବେ ରହୁଥିବା ୩୦ରୁ ଅଧିକ ଭାରତୀୟଙ୍କ ଗିରଫ କରିଛି । ଏମାନେ ବେଆଇନ ଭାବେ ରହି ବ୍ୟବସାୟିକ ଟ୍ରକ୍ ଚଲାଉଥିଲେ । ଆମେରିକା ଫେଡେରାଲ୍ ଏଜେନ୍ସି ପକ୍ଷରୁ ଚଲାଇଯାଇଥିବା ଏକ ବଡ଼ ଧରଣର ସ୍ୱତନ୍ତ୍ର ଅଭିଯାନ ସମୟରେ ଏହି ଗିରଫଦାରୀ ହୋଇଛି । ଖବୁଶୀଘ୍ର ଏମାନଙ୍କୁ ଭାରତ ଡିପୋର୍ଟ କରାଯିବ ବୋଲି ଜଣାପଡିଛି ।
ଆମେରିକା କଷ୍ଟମ୍ସ ଆଣ୍ଡ ବୋର୍ଡର ପ୍ରୋଟେକ୍ସନ ଜାରି କରିଥିବା ଏକ ବିବୃତି ଅନୁଯାୟୀ, ଗତ ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଏରିଜୋନାର ୟୁମା ସେକ୍ଟରର ସୀମା ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଚେକମେଟ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନ ଜରିଆରେ ଆମେରିକାରେ ବେଆଇନ ଭାବେ ରହୁଥିବା ୫୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୩୬ ଜଣ ବେଆଇନ ଭାବେ ବଡ଼ ବଡ଼ ସେମି-ଟ୍ରକ୍ ଚଲାଉଥିବା ବେଳେ ଧରାପଡିଥିଲେ । ଏହି ୩୬ ଜଣ ଟ୍ରକ୍ ଚାଳକଙ୍କ ମଧ୍ୟରୁ ୩୦ ଜଣ ଭାରତର ହୋଇଥିବା ବେଳେ ବାକି ୬ ଜଣ ମେକ୍ସିକୋ, ଏଲ୍ ସାଲଭାଡୋର ଏବଂ ରୁଷିଆର ବୋଲି ଚିହ୍ନଟ କରାଯାଇଛି ।
ତେବେ ତଦନ୍ତରୁ ଜଣାପଡିଛି ଯେ, ଏହି ଚାଳକମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସମୟରେ ରୋଜଗାର ଅନୁମତି ପତ୍ର ହାସଲ କରିଥିଲେ । ଯାହାର ଅବଧି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଥିଲା । ତେଣୁ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଉ ଏମାନଙ୍କୁ ଖୁବଶୀଘ୍ର ଡିପୋର୍ଟ କରାଯିବ ବୋଲି ଜଣାପଡିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅଧିନରେ ପରିବହନ ବିଭାଗ ଏକ ଆଦେଶ ଜାରି କରିଥିଲା । ଏଥିରେ ଅଯୋଗ୍ୟ ବିଦେଶୀ ଚାଳକଙ୍କୁ କର୍ମସିଆଲ ଟ୍ରକ ଏବ ବସ୍ ଚଲାଇବାର ଲାଇସେନ୍ସ ଦେବାକୁ ରୋକ୍ ଲଗାଯାଇଛି ।
ସୂଚନାଯୋଗ୍ୟ, ଗତ କିଛି ମାସ ହେଲାଣି ଆମେରିକାରେ ଏମିତି ଘଟଣା ଦେଖିବାକୁ ମିଳିଛି । ଏଠାରେ ଭାରତୀୟ ମୂଳ ଟ୍ରକ ଡ୍ରାଇଭର ଗିରଫ ହୋଇଛନ୍ତି । ଏହି ଡ୍ରାଇଭର କର୍ମସିଆଲ ବାହାନ ଚଲାଇବା ସମୟରେ ଦାୟିତ୍ବହୀନତା ଏବଂ ଦୁର୍ଘଟଣା କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି ।
