IMG 20260601 WA0206

୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଉଦଘାଟିତ

ରାଜ୍ୟ
  •   ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ନାଟକ ” ମୁଠାଏ ମାଟି “
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୁଗୁଡେଇ ଏହି ମହୋତ୍ସବର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ସମ୍ପାଦକ ଅସିତ ଗିରି ସ୍ୱାଗତ ଅଭିଭାଷଣ ଦେଇଥିଲେ I ପ୍ରୟାସ ଶତପଥୀ ମଞ୍ଚ ପରିଚାଳନା କରିଥିଲେ I ପ୍ରଥମ ସନ୍ଧ୍ୟାରେ ଓମ ନାଟ୍ୟ ସଂସ୍ଥା ପ୍ରଯୋଜିତ ଏବଂ ଡଃ ବସନ୍ତ କୁମାର ମହାପାତ୍ରଙ୍କ ଲିଖିତ ଓ ଧୀର ବଶାଙ୍କ ନିର୍ଦ୍ଦେଶିତ ନାଟକ “ମୁଠାଏ ମାଟି” ମଞ୍ଚସ୍ଥ ହୋଇଯାଇଛି I
ବିଭିନ୍ନ ଭୂମିକାରେ ପ୍ରସନ୍ନ କୁମାର ମହାନ୍ତି,  କୃଷ୍ଣଚନ୍ଦ୍ର ଦାସ, ଜ୍ଞାନରଞ୍ଜନ ପଣ୍ଡା, ଜଗଦିଶ ଚନ୍ଦ୍ର ଦାସ, ରଣଜିତ କୁମାର ସାହୁ, ଜ୍ୟୋତି ଶଙ୍କର ପଟ୍ଟନାୟକ, ସୁଜୟ ମହାନ୍ତି, ଗଣେଶ ବେହେରା, ମଇନା ବାରିକ ଓ ଆଦ୍ୟାଶା ଦାସ ଅଭିନୟ କରିଥିବା ବେଳେ ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ମଞ୍ଚସଜ୍ଜାରେ ନରସିଂହ ବାରିକ, ଆଲୋକରେ ଆନିକେତ ଦାସ ମଞ୍ଚ ପରିଚାଳନାରେ ଦେବାନନ୍ଦ ପାତ୍ର ଓ ଗୀତିକାର ଭାବେ ରାଜେଶ ଦାଶ ସହଯୋଗ କରିଥିଲେ I ଗାଁ ର ଯୁବକ ମାନେ ଅର୍ଥ ଉପାର୍ଜନ କରିବା ଆଶାରେ ନିଜ ଭିଟାମାଟି ଛାଡି ସହରାଭିମୁଖୀ I ମାତ୍ର ବିଫଳ ହେବା ସହ କୁପଥଗାମୀ ହୋଇଯାନ୍ତି ଓ ଶେଷରେ ନିରାଶ ହୋଇ ପୁଣି ଗାଁ କୁ ଫେରି ହୋଇଯାନ୍ତି ବେକାର ଓ ଦିଗହରା I
ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା I ଶେଷରେ ନିର୍ଦ୍ଦେଶକଙ୍କ ସମେତ ସମସ୍ତ କଳାକାରଙ୍କୁ ଆୟୋଜକ ଙ୍କ ତରଫରୁ ସମ୍ମାନିତ କରାଯାଇଥିଲା I ଆସନ୍ତାକାଲି ସମ୍ଭାବନା ସାଂସ୍କୃତିକ ପରିଷଦ ପ୍ରଯୋଜିତ ନାଟକ “ନିଷ୍ପତ୍ତି” ମଞ୍ଚସ୍ଥ ହେବ ବୋଲି କଳାକାର ପରିବାର ପକ୍ଷରୁ ସୂଚନା ଦିଆଯାଇଅଛି  I