IMG 20260601 WA0171

ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ଖୋ ଖୋ ଓ ଆର୍ଚେରୀ ସମର କ୍ୟାମ୍ପ-୨୦୨୬ ଉଦଯାପିତ 

ରାଜ୍ୟ
ବାରିପଦା  : ​ମୟୂରଭଞ୍ଜର ପ୍ରସିଦ୍ଧ ବେଲଗଡ଼ିଆ ପ୍ୟାଲେସ୍ ପରିସରରେ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଏବଂ ମୟୂରଭଞ୍ଜ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ୩୦ ଦିନିଆ “ସମର କ୍ୟାମ୍ପ-୨୦୨୬” ଉଦ୍‌ଯାପିତ ହୋଇଯାଇଛି I ଗତ ମେ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରରେ ଆର୍ଚେରୀ ଏବଂ ଖୋ-ଖୋ ଖେଳର ତାଲିମ ପ୍ରଦାନ କରାଯାଉଥିଲା I ଏହି ସମାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ ଏବଂ ସମ୍ମାନିତ ଅତିଥି ଭାବେ ରାଜଜେମା ଅକ୍ଷିତା ମଞ୍ଜରୀ ଭଞ୍ଜ ଦେଓ ଯୋଗଦେଇ ସଫଳ ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ I
ଏହା ସହିତ ଟାଟା ଆର୍ଚେରୀ ଏକାଡେମୀର ବିଶିଷ୍ଟ କୋଚ୍ ପ୍ରେମ ପୂର୍ତ୍ତି ଏବଂ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଉଭୟ ଶିବିର ସହ ଉଦଯାପନୀ କାର୍ଯ୍ୟକ୍ରମକୁ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ସଫଳତାର ସହ ପରିଚାଳନା କରିଥିଲେ I ଏହି ଗ୍ରୀଷ୍ମକାଳୀନ ଶିବିରରେ ସ୍ଥାନୀୟ ଅଞ୍ଚଳର ୩୫ ଜଣ ଆର୍ଚେରୀରେ ଓ ୪୦ ଜଣ ଖୋ – ଖୋ ଖେଳର ପ୍ରଶିକ୍ଷଣ ଗ୍ରହଣ କରିଥିଲେ I ଆର୍ଚେରୀ କୋଚ୍ ତରଣୀସେନ ନାୟକ ଓ ଫୁଲମଣି ପାଲେୟା ଏବଂ ଖୋ-ଖୋ କୋଚ୍ ଅର୍ଜୁନ ସିଂ, ଘାସିରାମ ମାଝୀ ଓ କ୍ଷୀରୋଦ ହେମ୍ବ୍ରମ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ I ଏହି ​କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଏକାଡେମୀର କର୍ମଚାରୀ ଚନ୍ଦନ ସିଂ, ରୋହିତ କୁମାର ନାୟକ, ରଞ୍ଜିତ ରାଉତଙ୍କ ସମେତ ସମସ୍ତ ସପୋର୍ଟିଂ ଷ୍ଟାଫ୍ ସହଯୋଗ କରିଥିଲେ I
ଏହି ଅବସରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଜାତୀୟ ରଗଵୀ ପ୍ରିମିୟାର ଲିଗରେ ସ୍ଥାନ ପାଇଥିବା ପାର୍ବତୀ ହାଁସଦା, ସନ୍ଧ୍ୟାରାଣୀ ଟୁଡୁ ଓ ସୁନିତା ହାଁସଦାଙ୍କୁ ରାଜ ପରିବାର ତରଫରୁ ୫ ହଜାର ଟଙ୍କା ଲେଖାଏଁ ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥିଲା I ମୟୂରଭଞ୍ଜ ମାଟିରୁ ଆଗାମୀ ଦିନରେ କିଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସଫଳ ଖେଳାଳି ସୃଷ୍ଟି ହୋଇପାରିବେ, ସେଥିପାଇଁ ଏହିଭଳି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ଏକାଡେମୀର ପ୍ରତିଷ୍ଠାତା ଶ୍ରୀ ଦାସ ପ୍ରକାଶ କରିଥିଲେ I