IMG 20260601 WA0200

 ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ, ୬ଟି ଦୋକାନରୁ  ଜରିମାନା ଆଦାୟ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ–୨ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।
           ଏହି ଅଭିଯାନ ସମୟରେ ତିରିଂ ଥାନା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଅଞ୍ଚଳ ଓ ବଜାର ପରିସରରେ ଥିବା ପାନ ଦୋକାନ, ଗ୍ରୋସେରୀ ଦୋକାନ ଏବଂ ଅନ୍ୟାନ୍ୟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଚାନକ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ଦେଖାଯାଇଥିଲା ।
           ଶିକ୍ଷା ଅନୁଷ୍ଠାନ ନିକଟରେ ତମାଖୁଜାତ ସାମଗ୍ରୀ ବିକ୍ରୟ ନିଷିଦ୍ଧ ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ କରି ବିକ୍ରୟ କରାଯାଉଥିବା ଅଭିଯୋଗରେ ମୋଟ ୬ଟି ଦୋକାନକୁ ଚିହ୍ନଟ କରାଯାଇ ମୋଟ ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହାସହ ସେମାନଙ୍କୁ ଭବିଷ୍ୟତରେ ଏପରି ନିୟମ ଉଲ୍ଲଂଘନ ନ କରିବା ପାଇଁ ସତର୍କ କରାଯାଇଥିଲା ।
ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଅନୁଷ୍ଠାନ ପରିସରକୁ ତମାଖୁମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଏହି ମିଳିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଯାଞ୍ଚ ଅଭିଯାନରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ, ତିରିଂ ଥାନା ର ଏଏସାଇ ସଞ୍ଜୟ କୁମାର ନାୟକ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିହାର ରଞ୍ଜନ ପୃଷ୍ଟି ଙ୍କ ସମେତ ଅନ୍ୟମାନେ ସାମିଲ୍ ଥିଲେ ।