ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଝାରସୁଗୁଡ଼ା ଜିଲ୍ଲାର । ନୂଆଡ଼ିହି ଗାଁରେ ଆୟୋଜିତ ଦଶାହ ଭୋଜି ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା । ମୃତକଙ୍କ ମଧ୍ୟରେ ନୂଆଡ଼ିହି ଗାଁର ଦୁଇ ଜଣ ଥିବା ବେଳେ ଝାରସୁଗୁଡା ଜିଲ୍ଲା ଅତାବିରା ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗାଁର ଦୁଇ ଜଣ ମହିଳା ରହିଛନ୍ତି। ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ଏହି ଘଟଣାରେ ଝାରସୁଗୁଡ଼ା ଜିଲ୍ଲାର ୪ ଜଣ ବ୍ୟକ୍ତି ଗୁରୁତର ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଏବଂ ଜଣେ ୧୧ ବର୍ଷର ନାବାଳିକା ମଧ୍ୟ ସାମିଲ ଅଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି । ଖାଦ୍ୟରେ କେଉଁ କାରଣରୁ ବିଷାକ୍ତ ହେଲା, ସେ ନେଇ ତଦନ୍ତ ଜାରି ରହିଛି ।
