Heatwave

ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଦେଶ - ବିଦେଶ

ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଭୀଷଣ ଲୁ ଏବଂ ଲଗାତାର ତାପମାତ୍ର ବଢୁଥିବାରୁ ରାଜ୍ୟର ୭ ଜିଲ୍ଲାରେ ଏବେ ଯାଏଁ ୧୬ ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ପି.ଶ୍ରୀନିବାସ ରେଡ୍ଡୀ ଶନିବାର ଏହି ସୂଚନା ଦେଇଛନ୍ତି ।

ରାଜସ୍ୱ ମନ୍ତ୍ରୀ ପି.ଶ୍ରୀନିବାସ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି । ଜାରି ହୋଇଥିବା ଅଫିସିଆଲ୍ ବୟାନରେ କୁହାଯାଇଛି, ସବୁଠାରୁ ଅଧିକ ମୃତ୍ୟୁ ଜୟଶଙ୍କର ଭୁପାଲପଲ୍ଲୀ ଜିଲ୍ଲାରେ ହୋଇଛି । ଏହାଛଡା ବାରଙ୍ଗଲ ଅର୍ବାନ, କରୀନଗର ଏବଂ ନିଜାମାବାଦ ଜିଲ୍ଲାରେ ମଧ୍ୟ ମୃତ୍ୟୁ ହୋଇଛି । ଆଉ ଏନେ ସରକାର ଅଂଶୁଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଚଳିତବର୍ଷ ତେଲେଙ୍ଗାନାରେ ଭୀଷଣ ଗରମ ପଡିଛି । ଫଳରେ ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଜାରିଥିବାବେଳେ ରାଜ୍ୟର ଅଲଗା ଅଲଗା ୭ ଜିଲ୍ଲାରେ ଅଂଶୁଘାତ ମୃତ୍ୟୁ ରେକର୍ଡ ହୋଇଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି । ତେଲଙ୍ଗାନାରେ ଅନେକ ଜିଲ୍ଲାରେ ତାପମାତ୍ର ୪୫ ଡିଗ୍ରୀ ଉପରେ ରହିଛି ।

ତେଲଙ୍ଗାନାରେ ଏବେ ତାପମାତ୍ରା ଲଗାତାର ବଢିବାରେ ଲାଗିଛି । ଅନେକ ଅଞ୍ଚଳରେ ଗ୍ରୀଷ୍ମ ଲହର ଚାଲିଛି । ତେବେ ପାଣି ପାଗ ବିଭାଗ ପୂର୍ବରୁ ଲୋକଙ୍କୁ ଏଥିପାଇଁ ସତର୍କ କରାଇଛି । ଗରମ ଦିପହରେ ବାହାରକୁ ନ ବାହାରିବା, ଖରାରୁ ବର୍ତ୍ତିବା ଓ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଇଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ଅବହେଳା ଦେଖାଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।