ବାରିପଦା : ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଆମ୍ବର ପ୍ରଚାର ପ୍ରସାର ସହ ସ୍ଥାନୀୟ ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ଏବଂ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଆମ୍ବ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓରମାସ୍, ମୟୂରଭଞ୍ଜ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାରିପଦା ଠାରେ “ଗାଁ ଆମ୍ବ ପସରା–୨୦୨୬” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗଦେଇ ଫିତା କାଟି ଔପଚାରିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଅବସରରେ ସେ କହିଥିଲେ ଯେ, ଗ୍ରାମୀଣ ଚାଷୀମାନଙ୍କ ଉତ୍ପାଦକୁ ଉପଯୁକ୍ତ ବଜାର ସୁବିଧା ଯୋଗାଇବା ଦିଗରେ “ଗାଁ ଆମ୍ବ ପସରା” ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହା ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ସହ ସ୍ଥାନୀୟ ଫଳଚାଷକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ସେ ମତପ୍ରକାଶ କରିଥିଲେ ।
ଏହି ଆମ୍ବ ପସରାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଣାଯାଇଥିବା ସୁନ୍ଦରୀ, ଦଶେରୀ, ଲେଙ୍ଗଡା, ଗୋପାଳଭୋଗ, ରାଜଭୋଗ ଓ ବାଇଗଣପଲେଇ ଭଳି ବିଭିନ୍ନ ପ୍ରଜାତିର ଆମ୍ବ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ପ୍ରଜାତି ଅନୁଯାୟୀ କିଲୋ ପିଛା ୫୫ ଟଙ୍କାରୁ ୮୫ ଟଙ୍କା ମଧ୍ୟରେ ମୂଲ୍ୟ ଧାର୍ଯ୍ୟ କରାଯାଇଥିବାରୁ ଗ୍ରାହକମାନେ ସୁଲଭ ଦରରେ ତାଜା ଓ ଗୁଣାତ୍ମକ ଆମ୍ବ କ୍ରୟ କରିପାରୁଛନ୍ତି । ସ୍ୱାଦ, ସୁଗନ୍ଧ ଓ ଗୁଣବତ୍ତା ପାଇଁ ପରିଚିତ ମୟୂରଭଞ୍ଜର ଆମ୍ବ ପ୍ରତି ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ପ୍ରକାଶ ପାଇଥିଲା ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଏଭଳି ଆୟୋଜନ ମାଧ୍ୟମରେ ଚାଷୀମାନେ ମଧ୍ୟସ୍ଥ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳ ନହୋଇ ସିଧାସଳଖ ଭାବେ ଗ୍ରାହକଙ୍କ ନିକଟକୁ ନିଜ ଉତ୍ପାଦ ପହଞ୍ଚାଇପାରୁଛନ୍ତି । ଏହା ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଉଥିବା ବେଳେ ଗ୍ରାହକମାନେ ମଧ୍ୟ ଉତ୍ତମମାନର ଆମ୍ବ ସୁଲଭ ଦରରେ ପାଇପାରୁଛନ୍ତି ।
ମୟୂରଭଞ୍ଜ ଫଳ ଏବଂ ପନିପରିବା କୃଷକ ଉତ୍ପାଦ କମ୍ପାନୀ ଲିମିଟେଡ଼ର ସହଯୋଗରେ ଏହି ଆମ୍ବ ପସରା ପରିଚାଳିତ ହେଉଥିବାବେଳେ ଏହା ଆଗାମୀ ଏକ ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଅବସରରେ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ଓରମାସ୍ ଡେପୁଟି ସିଇଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳଙ୍କ ସମେତ ଓରମାସ୍, ଉଦ୍ୟାନ ବିଭାଗ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ, ଆମ୍ବ ଚାଷୀ ଏବଂ ବହୁ ସଂଖ୍ୟକ ସାଧାରଣ ଲୋକ ଉପସ୍ଥିତ ଥିଲେ ।
