ବାରିପଦା : ଉଜବେକିସ୍ଥାନ ସ୍ଥିତ ତାସକେଣ୍ଟ ଠାରେ ଚଳିତ ମାସ ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟ ଓ ଦକ୍ଷିଣ ଏସିଆ ( CASA ) ସେଭେନସ ରଗଵୀ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅଧିନାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବାରିପଦାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପାର୍ବତୀ ହାଁସଦା I ଭାରତୀୟ ଦଳର ନେତୃତ୍ୱ ନେବାରେ ସେ ମୟୁରଭଞ୍ଜ ମାଟିର ପ୍ରଥମ ଖେଳାଳି ଭାବେ ଇତିହାସ ରଚିଛନ୍ତି I ପାର୍ବତୀଙ୍କ ଜନ୍ମ ବାରିପଦା ବ୍ଲକର ଭୁରୁଡୁବଣି ଗ୍ରାମର ଏକ ଅତି ସାଧାରଣ ଚାଷୀ ପରିବାରରେ I ପିତା ଦଶରଥୀ ହାଁସଦା ଓ ମାତା ସୁକାନ୍ତି ହାଁସଦା ଦିନରାତି ବିଲରେ ପରିଶ୍ରମ କରି ପାର୍ବତୀଙ୍କୁ ବଡ଼ କରିଥିଲେ
। ପିଲାଦିନେ ବାପାମାଆଙ୍କ ସହ ବିଲକୁ ଯାଉଥିବା ପାର୍ବତୀଙ୍କ ପାଇଁ ଏହି ସଫଳତା ଏକ ସ୍ୱପ୍ନଥିଲା l ତାଙ୍କର କଠିନ ପରିଶ୍ରମ ସାଙ୍ଗକୁ ଇଛାଶକ୍ତି ପାଇଁ ଆଜି ତାଙ୍କ ସ୍ୱପ୍ନ ସାକାର ହୋଇଅଛି l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଣୀଭୋଳ ଆଶ୍ରମ ସ୍କୁଲରେ ପାଠ ପଢ଼ିବା ବେଳେ, ତତ୍କାଳୀନ ପ୍ରଧାନ ଶିକ୍ଷକ କମଳାକାନ୍ତ ପ୍ରହରାଜ ଓ କୋଚ୍ ରୂପାଲୀ ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ରଗଵୀ ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ I ପରବର୍ତ୍ତୀ ସମୟରେ ମୟୂରଭଞ୍ଜର ବାରିପଦା ସ୍ଥିତ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ତାଙ୍କ ସ୍ୱପ୍ନକୁ ନୂଆ ଉଡ଼ାଣ ଦେଇଥିଲା I ଏହି ଏକାଡେମୀରେ ରହି ପ୍ରଶିକ୍ଷଣ ନେଇ ପାର୍ବତୀ ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଆଜି ସାରା ବିଶ୍ୱ ଆଗରେ ମୟୂରଭଞ୍ଜର ନାଁ ରଖିଛନ୍ତି ବୋଲି ତାଙ୍କ ପଥ ପ୍ରଦର୍ଶକ, କୋଚ ତଥା ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଜଣାଇଛନ୍ତି I ଅନେକ ପଦକର ଅଧିକାରିଣୀ ଜଣେ ଆନ୍ତର୍ଜାତିକ ରଗ୍ବି ଖେଳାଳି ଭାବେ ଅନେକ ଥର ରାଜ୍ୟ ତଥା ଦେଶ ଗୌରବ ଆଣିଥିବା ପାର୍ବତୀଙ୍କ ଯାତ୍ରା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି I ୨୦୨୨ ରେ ଏସୀୟ ରଗ୍ବି ୧୮ ବର୍ଷରୁ କମ୍ ଓ ୨୨ ବର୍ଷରୁ କମ୍ ଚାମ୍ପିୟନସିପ୍ରେ ସେ ରୌପ୍ୟ ପଦକ ଜିତି ନିଜ ପ୍ରତିଭାର ପରିଚୟ ଦେଇଥିଲେ I
୩୬ତମ, ୩୭ତମ ଓ ୩୮ତମ ଜାତୀୟ କ୍ରୀଡ଼ା ଏବଂ ୨୦୨୪ ସିନିୟର ଜାତୀୟ ରଗ୍ବିରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଚଳିତ ବର୍ଷ ବିହାରର ରାଜଗିରଠାରେ ଅନୁଷ୍ଠିତ ସିନିୟର ନ୍ୟାସନାଲ୍ରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ଖବର ପାଇ ଜିଲ୍ଲାରେ ଖିସିର ଲହରୀ ଖେଳିଯାଇଥିବା ବେଳେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗବୀ ସଙ୍ଘ, ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଏଭଳି ସୁଯୋଗ ପ୍ରଦାନ ପାଇଁ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି I
