IMG 20260509 WA0219

ଧନୁର୍ବିଦ୍ୟା ଗ୍ରୀଷ୍ମକାଳୀନ ଶିବିର ଉଦଘାଟିତ

ରାଜ୍ୟ
ବାରିପଦା  : ମୟୂରଭଞ୍ଜର ସାଂସ୍କୃତିକ ଐତିହ୍ୟ ଓ କ୍ରୀଡ଼ା ପରମ୍ପରାକୁ ଆଗକୁ ନେବା ପାଇଁ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଏବଂ  ମୟୂରଭଞ୍ଜ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଧନୁର୍ବିଦ୍ୟା ଗ୍ରୀଷ୍ମକାଳୀନ ଶିବିରର ଶୁଭାରମ୍ଭ ହୋଇଯାଇଛି I ବାରିପଦାର ବେଲଗଡ଼ିଆ ପ୍ୟାଲେସ ପରିସରରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ସମ୍ମାନିତ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦଘାଟନ କରିବା ସହ ଶିବିରର ସଫଳତା କାମନା କରିଥିଲେ I
ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ସୁଭାଶିଷ ନାୟକ, ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହ ଓ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ I ଏହି ଶିବିରରେ ମୋଟ ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି I ଶିବିରର ପ୍ରଥମ ଦିନରେ ଅଭିଭାବକମାନଙ୍କର ଉତ୍ସାହଜନକ ଉପସ୍ଥିତି ଦେଖିବାକୁ ମିଳିଥିଲା I ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ଧନୁର୍ବିଦ୍ୟା କଳାକୁ ପେଶାଦାର ସ୍ତରରେ ବିକଶିତ କରିବାରେ ଏହି ଶିବିର ସହାୟକ ହେବ ବୋଲି ସମସ୍ତେ ଆଶା ପୋଷଣ କରିଛନ୍ତି I ମୟୂରଭଞ୍ଜର ମାଟିରେ ଅନେକ ପ୍ରତିଭା ଏହିଭଳି ଶିବିର ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତ ରଖିଥିଲେ I
ଜାତୀୟ ସ୍ତରୀୟ କୋଚ ତରଣୀସେନ ନାୟକ, ଫୁଲମଣୀ ପାଲେୟା, ହୃଷିକେଶ ମହାନ୍ତ ଫାଗୁ ଟୁଡୁ ଓ ବିଶ୍ୱଜିତ ମହାନ୍ତ ପ୍ରଶିକ୍ଷଣରେ ଏହି ଶିବିର ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଏହି ଶିବିର ଆଗାମୀ ଦିନରେ ଅଭ୍ୟାସ ଜାରି ରଖିବା ସହ ପିଲାମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଅଛି l