IMG 20260508 WA0145

ଟିପିଏନଓଡ଼ିଏଲର ଦେଉଳି ପିଏସଏସ ଲୋକାର୍ପିତ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି, ଚୁହାଟ, କାଣିମହୁଲି, ନୂଆଗାଁ, ଝାଲିଆମରା, ଅଁଳାକୁଡ଼ା ଆଦି ପଞ୍ଚାୟତବାସୀଙ୍କୁ  ଏଣିକି ମିଳିବ ଅଧିକ ନିର୍ଭରଯୋଗ୍ୟ ତଥା ନିରବଚ୍ଛିନ୍ନ ବିଜୁଳି ସେବା। ଉପକୃତ ହେବେ ୧୫ହଜାରରୁ ଅଧିକ ପରିବାର। ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ  ଦେଉଳିଠାରେ ନିର୍ମିତ ୧୦ଏମଭିଏ ବିଶିଷ୍ଟ ନୂତନ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନ ଆଜି  ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।
ଆଭାସୀ ମାଧ୍ୟମରେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉପ – ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ  କହିଥିଲେ ଯେ, ରାଜ୍ୟବାସୀଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ସରକାର ସର୍ବଦା ଯତ୍ନଶୀଳ ଏବଂ ପ୍ରତିଶ୍ରୁତିବଦ୍ଧ । ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ପୂର୍ବ ଅପେକ୍ଷା ଅନେକ ସୁଧାର ଆସିଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ଏଥି ସହ ମୟୂରଭଞ୍ଜରେ  ଖୁବ ଶୀଘ୍ର ଆଉ ଦୁଇଟି ମୋରଡା ଓ ବାଙ୍ଗିରିପୋଷିରେ ନବ ନିର୍ମିତ ଗ୍ରୀଡ ମଧ୍ୟ ଖୁବ ଶୀଘ୍ର ଲୋକାର୍ପଣ ହେବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ସରକାରଙ୍କ ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାର ଲାଭ ଉଠାଇବା ପାଇଁ ଉପଭୋକ୍ତାଙ୍କୁ ସେ ଆହ୍ଵାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ବିଭାଗ ମନ୍ତ୍ରୀ  ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ବିଜୁଳି ସେବାର ମୌଳିକ ଅବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହ ସେ ଦର୍ଶାଇଥିଲେ ଯେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ହେଉଛି ଗ୍ରାମୀଣ ବିକାଶର ମେରୁଦଣ୍ଡ। ଏହି ସବଷ୍ଟେସନ ସ୍ଥାନୀୟ ଅଞ୍ଚଳବାସୀଙ୍କୁ  ଉନ୍ନତ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବା ସହ ଏହି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ନିର୍ବାହ କ୍ଷେତ୍ରରେ ନୁଆ ସୁଯୋଗ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ କାଲେ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇ କହିଥିଲେ ଯେ, ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ।ଉପଭୋକ୍ତାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏ ଦିଗରେ ଆମର କର୍ତ୍ତବ୍ୟନିଷ୍ଠ କର୍ମଚାରୀମାନେ ସର୍ବଦା ପ୍ରୟାସରତ । ବିଦ୍ୟୁତ୍ ଚାହିଦାକୁ ପୂରଣ ତଥା ସ୍ଥାନୀୟ ଅଞ୍ଚଳରେ ନିର୍ଭରଯୋଗ୍ୟ ସେବା ଯୋଗାଇବା ପାଇଁ ଦେଉଳି ପିଏସଏସ କାର୍ଯ୍ୟକ୍ଷମ ହେବା ଟିପିଏନଓଡ଼ିଏଲ ପାଇଁ ଏକ ମାଇଲଖୁଣ୍ଟ ସଦୃଶ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଟିପିଏନଓଡ଼ିଏଲର ପ୍ରକଳ୍ପ ମୁଖ୍ୟ   ପ୍ରଦୀପ କୁମାର ମହାନ୍ତି, ବାରିପଦା ବୈଦ୍ୟୁତିକ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ପଣ୍ଡାଙ୍କ ସମେତ ଟିପିଏନଓଡ଼ିଏଲର ବରିଷ୍ଠ କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।