ବାରିପଦା: ମୟୂରଭଞ୍ଜ ଜ଼ିଲ୍ଲା ସଦର ମହକୁମା ବାରିପଦା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ।
ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୧୬୯ ଗୋଟି ଅଭିଯୋଗର ଶୁଣାଣି କରାଯାଇଛି । ଏଥିରେ ୧୪୭ ଗୋଟି ବ୍ୟକ୍ତିଗତ ସମସ୍ୟା ଆଧାରିତ ଥିବାବେଳେ ୨୨ ଗୋଟି ସାମୁହିକ ସମସ୍ୟା ସମ୍ବଳିତ ଅଭିଯୋଗ ହୋଇଛି । ତନ୍ମଧ୍ୟରୁ ଗୋଟିଏ ଅଭିଯୋଗର ସମାଧାନ ତତକ୍ଷଣାତ୍ ଜନ ଅଭିଯୋଗ ଶିବିରରେ କରାଯାଇଛି । ସେହିପରି ଶୁଣାଣି ଶିବିରରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ନିର୍ଦ୍ଧେଶ ଦେଇଥିଲେ।
ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡର ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
