12

ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ପ୍ରଭାତ ବିଶ୍ୱାଳ: ୧୪ ବର୍ଷର ଯନ୍ତ୍ରଣା ପରେ ଷଡ଼ଯନ୍ତ୍ରକାରୀଙ୍କୁ ଦେଲେ କଡ଼ା ଜବାବ

Odia ରାଜନୀତି ରାଜ୍ୟ

(କଟକରୁ ନିରଞ୍ଜନ ପଟ୍ଟନାୟକଙ୍କ ସହ ମାନସ କୁମାର ନାୟକଙ୍କ ରିପୋର୍ଟ)

କଟକ : କଟକର ଟାଣୁଆ ନେତା ତଥା ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ସ୍ପଷ୍ଟ ଓ ଅଭିମାନଭରା ଆଭିମୁଖ୍ୟ ରଖିଛନ୍ତି। ବିଜେଡି ଜିଲ୍ଲା ସଭାପତିଙ୍କ ପକ୍ଷରୁ ତାଙ୍କ ପୁଅଙ୍କ ଉପରେ ଲଗାଯାଇଥିବା ୮ କୋଟି ଟଙ୍କାର ଅଭିଯୋଗକୁ ସେ ଦୃଢ଼ ଭାବରେ ଖଣ୍ଡନ କରିବା ସହ ଏହାକୁ ଏକ ଭିତ୍ତିହୀନ ଅପପ୍ରଚାର ବୋଲି କହିଛନ୍ତି। ଶ୍ରୀ ବିଶ୍ୱାଳ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପ୍ରଭାତ ବିଶ୍ୱାଳକୁ କେହି ଟଙ୍କା ଦେଇ କିଣିପାରିବେ ନାହିଁ। ରାଜ୍ୟସଭା ନିର୍ବାଚନରେ ତାଙ୍କ ପୁଅର ନିଷ୍ପତ୍ତି କୌଣସି ଅର୍ଥ କାରବାର ପାଇଁ ନୁହେଁ, ବରଂ ବାରମ୍ବାର ସହିବାକୁ ପଡ଼ୁଥିବା ଅପମାନର ଏକ ପ୍ରତିକ୍ରିୟା ଥିଲା। ସେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି ଯେ, ଖୋଦ ବିଜେଡି ସଭାପତି ୪୫ ଜଣ ବିଧାୟକଙ୍କ ସମ୍ମୁଖରେ ତାଙ୍କୁ ‘ଜେଲ ଫେରନ୍ତା’ କହି ଅପମାନିତ କରିବା ସହ ତାଙ୍କ ଗାଡ଼ିର କାଚ ଭାଙ୍ଗିବା ପରି ଅଭିଯୋଗ ଆଣିଥିଲେ। ଜଣେ ବାପାର ଏଭଳି ଅପମାନକୁ ପୁଅ ସହ୍ୟ କରିପାରିଲାନି, ଯେଉଁଥିପାଇଁ ସେ ନିଜର ମତାଧିକାର ସ୍ୱାଭିମାନର ସହ ସାବ୍ୟସ୍ତ କରିଛି। ଏଠାରେ ପଇସାର କୌଣସି ସମ୍ପର୍କ ନାହିଁ, ବରଂ ଏହା ଆତ୍ମସମ୍ମାନର ଲଢ଼େଇ।

122

ନିଜର ରାଜନୈତିକ ଜୀବନର ସଂଘର୍ଷ ବାବଦରେ ସୂଚନା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨୦୧୨ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ କାଳ ସେ ଅତ୍ୟନ୍ତ ଅଶାନ୍ତି ଓ ମାନସିକ ଯନ୍ତ୍ରଣା ମଧ୍ୟରେ କାଟିଛନ୍ତି। କିଛି କୁଚକ୍ରୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ବଞ୍ଚିତ ରହିଥିଲେ। ତେବେ ବର୍ତ୍ତମାନ ସମୟ ବଦଳିଛି। ଦୀର୍ଘ ୧୪ ବର୍ଷ ପରେ ସେ ଖଇରିଆ ପୋଷାକ ଓହ୍ଲାଇ ଧଳା ପୋଷାକ ପରିଧାନ କରିଛନ୍ତି, ଯାହା ତାଙ୍କୁ ଏକ ନୂଆ ପ୍ରେରଣା ଓ ଶକ୍ତି ଯୋଗାଉଛି। ତାଙ୍କୁ ମିଥ୍ୟା ଅପବାଦ ଦେଇ ଯେଉଁମାନେ ଖଇରିଆ ପୋଷାକ ପିନ୍ଧାଇଥିଲେ, ସେମାନଙ୍କୁ ଭଗବାନ ଉଚିତ ଶାସ୍ତି ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚୌଦ୍ୱାର-କଟକବାସୀଙ୍କ ଅକୁଣ୍ଠ ଭଲପାଇବା ତାଙ୍କ ସହ ସବୁବେଳେ ରହିଛି ଏବଂ ସେମାନଙ୍କ ପାଇଁ ସେ ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ।

ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଭାତ ବିଶ୍ୱାଳ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ତାଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ ଏବଂ ଏହାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖିବା ଅନୁଚିତ। ବିଜେପି ଆଡ଼କୁ ଢଳିବା ପ୍ରଶ୍ନରେ ସେ ଖୋଲାଖୋଲି ଭାବେ କହିଛନ୍ତି ଯେ, ଜନସାଧାରଣଙ୍କ ନିଷ୍ପତ୍ତି ହିଁ ତାଙ୍କ ପାଇଁ ଶିରୋଧାର୍ଯ୍ୟ। ତାଙ୍କର ସମର୍ଥକ ଓ ଶୁଭେଚ୍ଛୁମାନେ ଯେଉଁ ନିଷ୍ପତ୍ତି ନେବେ, ସେହି ଅନୁସାରେ ସେ ଆଗାମୀ ଦିନରେ ନିଜର ରାଜନୈତିକ ପନ୍ଥା ସ୍ଥିର କରିବେ। ଦୀର୍ଘ ବର୍ଷର ନିର୍ଯାତନା ପରେ ପ୍ରଭାତ ବିଶ୍ୱାଳଙ୍କ ଏହି ନୂତନ ଅବତାର କଟକ ରାଜନୀତିରେ ଏକ ନୂଆ ମୋଡ଼ ଆଣିବ ବୋଲି ଚର୍ଚ୍ଚା ହେଉଛି।