ବାରିପଦା : ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗରମକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆସନ୍ତା ୪ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୨୦.୦୪.୨୦୨୬ (ସୋମବାର) ରୁ ୨୩.୦୪.୨୦୨୬ (ଗୁରୁବାର) ପର୍ଯ୍ୟନ୍ତ ସମସ୍ତ ସ୍କୁଲଗୁଡିକ ବନ୍ଦ ରହିବ । ସେହିପରି ଜିଲ୍ଲାର ସମସ୍ତ ଛାତ୍ରାବାସ ଓ ଛାତ୍ରୀନିବାସ ବନ୍ଦ ରହିବା ସହ ଏଠାରେ ଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇ ନେବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଖରା ସମୟରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଶ୍ରୀ ସୟ୍ଏହି ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ୫ମ ଓ ୮ମ ଶ୍ରେଣୀର ସାପ୍ଲିମେଣ୍ଟାରୀ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ସୂଚୀ ଅନୁଯାୟୀ ଜାରି ରହିବ । ପରୀକ୍ଷା ସମୟରେ ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଫଳ, ଫଳରସ, ଓଆରଏସ୍ ମହଜୁଦ୍ ରଖିବାକୁ କୁହାଯାଇଛି । ସେହିପରି ଜନଗଣନା କାର୍ଯ୍ୟ ମଧ୍ୟ ଯଥା ପୂର୍ବ ଜାରି ରହିବ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିୟମିତ ବିଦ୍ୟାଳୟକୁ ଯାଇ ଜାରି ରହିଥିବା ନାମଲେଖା ପ୍ରକ୍ରିୟା, ଜନଗଣନା ପ୍ରକ୍ରିୟା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କୁ ଅବଗତ କରାଯାଇଛି । ଏହା ସହ ଗ୍ରୀଷ୍ମର ବଢୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି କୌଣସି ନୂତନ ପଦକ୍ଷେପ ନିଆଗଲେ ଆଗୁଆ ସୂଚାଇ ଦିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।
