କେନ୍ଦ୍ରାପଡ଼ା (ବିକାଶ ବେହେରାଙ୍କ ରିପୋର୍ଟ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ଘଟିଛି। ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଗରଦପୁର ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୨୧ ଜଣ ଜନପ୍ରତିନିଧି ଏବଂ ଶତାଧିକ ସକ୍ରିୟ କର୍ମୀ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପାଟକୁରା ବିଜେଡି ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଥିବା ଚର୍ଚ୍ଚା ହେଉଛି।
କଳାବୁଦା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଆମେ ବିଧାୟକଙ୍କ ସହିତ ରହିଛୁ, ରହିବୁ ତାଙ୍କ ସାଥୀରେ’ ବ୍ୟାନର୍ ତଳେ ଏହି ଇସ୍ତଫା ପର୍ବ ଅନୁଷ୍ଠିତ ହୋଇଥିଲା। ଇସ୍ତଫା ଦେଇଥିବା ପ୍ରତିନିଧିଙ୍କ ମଧ୍ୟରେ ୧୮ଟି ପଞ୍ଚାୟତରୁ ୧୧ ଜଣ ସରପଞ୍ଚ ଓ ୧୦ ଜଣ ସମିତି ସଭ୍ୟ ଅନ୍ତର୍ଭୁକ୍ତ। ଏମାନେ ସମସ୍ତେ ଏକ ସ୍ୱରରେ କହିଛନ୍ତି ଯେ, ବିଧାୟକ ଆଗକୁ ଯେଉଁ ଦଳରେ ସାମିଲ ହେବେ, ସେମାନେ ମଧ୍ୟ ତାଙ୍କ ସହିତ ରହିବେ।

ଗତ ଜାନୁଆରି ୧୫ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ସମର୍ଥକମାନେ ପୂର୍ବରୁ ଡେରାବିଶ ଓ ଗରଦପୁର ବ୍ଲକରେ ସଭା କରିବା ସହ ଭୁବନେଶ୍ୱର ଶଙ୍ଖ ଭବନ ଯାଇ ମଧ୍ୟ ଦାବି କରିଥିଲେ। କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଲମ୍ବନ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ ଦର୍ଶାଇବା ପରେ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ, ଗରଦପୁର ବ୍ଲକ୍ ତେଣ୍ତାକୁଡ଼ା ସମିତିସଭ୍ୟ ବାସୁଦେବ ବେହେରା, ପଳସୁଧା ସରପଞ୍ଚ ଶ୍ରୀରାଧା ବନଜାବାସିନୀ ଜେନା, ସମିତିସଭ୍ୟ ନରଗିସ୍ ବେଗମ୍, ବନ୍ତଳା ସରପଞ୍ଚ ର˚ଜନ ନାୟକ, ସମିତିସଭ୍ୟ ବ୍ରଜକିଶୋର ସାହୁ, ତଳକୁସୁମା ସରପଞ୍ଚ ପ୍ରଭାତ ନନ୍ଦିନୀ ଜେନା, ସମିତିସଭ୍ୟ ପ୍ରଭାସ ର˚ଜନ ସାହୁ, ଗରଦପୁର ସରପଞ୍ଚ ଅନିତା ମାହାଳି, ପାଖଡ଼ ସରପଞ୍ଚ ବନିତା ସ୍ବାଇଁ, ପାଟକୁରା ସରପଞ୍ଚ ଗୀତାଞ୍ଜଳି ମହାନ୍ତି, ବେଡ଼ାରି ସରପଞ୍ଚ କୁଞ୍ଜଲତା ମିଶ୍ର, ସମିତିସଭ୍ୟ ଦିଲ୍ଲୀପ ସାହୁ, ପଦ୍ମପୁର ସରପଞ୍ଚ ଅନସୂୟା ବେହେରା, ମଧୁଶାସନ ସମିତିସଭ୍ୟ ମନୋଜ ମଲ୍ଲିକ, ବଡ଼ବେତରା ସରପଞ୍ଚ ସଂଯୁକ୍ତା ମହାପାତ୍ର, ସମିତିସଭ୍ୟ ଲକ୍ଷ୍ମୀ ଦାସ, ଟିକନପୁର ସମିତିସଭ୍ୟ ଅମିୟ ନାୟକ, ନଡ଼ିଆରାଇ ସରପଞ୍ଚ ସନ୍ତୋଷ ମାହାଳି, ଭଗବାନପୁର ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ, ଜିଲ୍ଲା ବିଜେଡି ସଭାପତି ଶିବପ୍ରସାଦ ଭୋଳ କହିଛନ୍ତି ଯେ, ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଗତ ୨୦୨୪ ସାଧାରଣ ନିର୍ବାଚନ ବେଳୁ ହିଁ ସନ୍ଦେହଜନକ ଥିଲା। ତେଣୁ ସେମାନଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ତେବେ ଗରଦପୁର ବ୍ଲକ ପରେ ଆଗାମୀ ଦିନରେ ଡେରାବିଶ ବ୍ଲକରେ ମଧ୍ୟ ସମାନ ଭାବେ ବହୁ ସଂଖ୍ୟାରେ କର୍ମୀ ଓ ନେତା ଇସ୍ତଫା ଦେବେ ବୋଲି ବିଧାୟକଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ଏହା ପାଟକୁରା ରାଜନୀତିକୁ ଏବେ ବେଶ୍ ସରଗରମ କରିଦେଇଛି।
