ଜିଲ୍ଲାରେ ପୁନଃ ଡିଲିମିଟେସନ କରାଯାଇ ଲୋକସଭା ଏବଂ ବିଧାନସଭା ଆସନ ବୃଦ୍ଧି ପାଇଁ ଦାବୀ
ବାରିପଦା : ଓଡ଼ିଶାର ସର୍ବ ବୃହତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜକୁ ବିଗତ 2009 ମସିହାରେ ହୋଇଥିବା ଡି-ଲିମିଟେସନରେ ଉପେକ୍ଷା କରାଯାଇଥିବାର ଅଭିଯୋଗ ଆଣି ବିଗତ 5ବର୍ଷ ଧରି ଓଡ଼ିଆ ଜାଗରଣ ମଂଚ ତରଫରୁ ଆନ୍ଦୋଳନ କରାଯାଇ ଆସୁଥିବା ବେଳେ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ପୁନଃ ଡିଲିମିଟେସନରେ ମୟୂରଭଞ୍ଜ ଜିଲ୍ଲାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ବୃଦ୍ଧି କରାଯିବାକୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ କେନ୍ଦୁଝର ଲୋକସଭା କ୍ଷେତ୍ରରେ ଏବଂ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳିକୁ ବାଲେଶ୍ଵର ଲୋକସଭା କ୍ଷେତ୍ରରେ ରଖାଯାଇଛି. ସେହିପରି ଜିଲ୍ଲାର ପୂର୍ବରୁଥିବା 10ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ କମାଇ 9ଟି ଆସନରେ ସୀମିତ ରଖଯାଇଛି ।
ଜିଲ୍ଲାରେ ଥିବା ଏକମାତ୍ର ପୂର୍ଣ୍ଣାଙ୍ଗ ଲୋକସଭା କ୍ଷେତ୍ର ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ, 9ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ମୋରଡା ଆସନ କୁ ଛାଡି ଦେଲେ ଅନ୍ୟ 8ଟି ଯାକ ଆସନ ସଂରକ୍ଷିତ ରହିଥିବାରୁ ମୟୁରଭଞ୍ଜର ସାଧାରଣ ଜନତା ନିଜର ରାଜନୈତିକ ଅଧିକାରରୁ ବିଶେଷ ଭାବରେ ବଂଚିତ ହେଉଛନ୍ତି । ଏଣୁ ଜିଲ୍ଲାରେ ପୁନଃ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କରାଯାଇ ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ 12ଟି ବିଧାନସଭା ଆସନ ସହ ଅନୁନ୍ୟ ଦୁଇଟି ଲୋକସଭା ଆସନ ଗଠନ କରିବା ସହ ଗୋଟିଏ ଲୋକସଭା ଆସନ ଏବଂ ଅନୁନ୍ୟ 3ଟି ବିଧାନ ସଭା ଆସନକୁ ସଂରକ୍ଷଣ ମୁକ୍ତ ରଖାଯିବାକୁ ଦାବୀ କରାଯାଇଛି । ଏହି ଦାବିପତ୍ର ପ୍ରଦାନରେ ଓଡିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ମଞ୍ଚର କର୍ମକର୍ତ୍ତା ପିତାମ୍ବର ମଲ୍ଲିକ, ଆଇନଜୀବୀ ଲିଙ୍ଗରାଜ ମିଶ୍ର, ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
