- ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ
ବାରିପଦା : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ୯୧ତମ ଓଡ଼ିଶା ଦିବସ ତଥା ରାଜ୍ୟ ପ୍ରତିଷ୍ଠା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ୍, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇଥିଲେ । ଏଥିସହ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପଲ୍ଲୀ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।
ଆଜିର ଏହି ଗରିମାମୟ ଉତ୍ସବରେ ଜିଲ୍ଲାର ବୁଦ୍ଧିଜୀବୀ, ମିଶନ ଶକ୍ତି ମହିଳା ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମଣ୍ଡଳୀ ଓ ବିଭିନ୍ନ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓଡ଼ିଆ ଜାତିର ବୀରତ୍ୱ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନର ସଂଗ୍ରାମକୁ ମନେ ପକାଇଥିଲେ। ସେ କହିଥିଲେ, “ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ । ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ହିଁ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ମୂଳଦୁଆ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ଏବେଠାରୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଇରଙ୍ଗପୁର ବିଧାୟକ ଶ୍ରୀ ନାଏକ୍ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ହେଉଛି ଅନେକ ସଂଗ୍ରାମ ଓ ତ୍ୟାଗର କାହାଣୀ। ଆଜିର ଦିନରେ ଆମେ ସେହି ମହାପୁରୁଷମାନଙ୍କୁ ସ୍ମରଣ କରିବା ସହ ଜିଲ୍ଲାର ସାମୂହିକ ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ତ୍ୟାଗ ଓ ବଳିଦାନର ସାମୂହିକ ପ୍ରୟାସ ।
ଏହା ନିଶ୍ଚୟ ଆଗାମୀ ପିଢ଼ି ଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଉଦ୍ରେକ କରିବାରେ ସହାୟକ ହେବ ବୋଲି ସମ୍ମାନୀତ ଅତିଥି ସାରସକଣା ବିଧାୟକ ଶ୍ରୀ ହାଁସଦା ମତପୋଷଣ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବାରିପଦା ବିଧାୟକ ଶ୍ରୀ ସୋରେନ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମ ମାତୃଭାଷା ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ସୁରକ୍ଷା ତଥା ପ୍ରସାର ପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
