ବାରିପଦା : ଆମ ଦେଶ ଜଟିଳ ପରିସ୍ଥିତି ଦେଇ ଗତିକରୁଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲଗାତାର ଭାବରେ ଦେଶର ଶ୍ରମଶକ୍ତିକୁ କର୍ପୋରେଟ ସଂସ୍ଥାମାନଙ୍କ ସ୍ୱାର୍ଥରେ ବିନିଯୋଗ କରିବାକୁ ପଛାଉନାହାନ୍ତି। ସମସ୍ତ ପ୍ରକାରର ଆନ୍ଦୋଳନକୁ ଭ୍ରୂକ୍ଷେପ ନ କରି ଏବଂ ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ଆଲୋଚନା ନ କରି ୪୪ ଟି ଶ୍ରମ ଆଇନକୁ ଭାଂଗି ୪ ଟି ଘୃଣ୍ୟ ଶ୍ରମ କୋର୍ଡକୁ କାର୍ଯ୍ୟକାରୀ କରିଛନ୍ତି।ଦେଶର ଲାଭଜନକ, ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଳବାଇ, ବନ୍ଦର, କୋଇଲା ଖଣି, ଇସ୍ପାତ, ପ୍ରତିରକ୍ଷା, ବ୍ୟାଙ୍କ, ବୀମା, ଟେଲି ଯୋଗାଯୋଗ, ଆଣବିକ ଶକ୍ତି, ବିଦ୍ୟୁତ୍ ଉତ୍ପାଦନ ସଂସ୍ଥା ଇତ୍ୟାଦି ହସ୍ତାନ୍ତର କରି ଦେଶର ଆତ୍ମନିର୍ଭର ଅର୍ଥନୀତିକୁ କଵର ଦେଇ ଚାଲିଛନ୍ତି। ଭାରତୀୟ ଶ୍ରମ ସମ୍ମିଳନୀରେ ଆଲୋଚନା ନ କରି, ଆନ୍ତର୍ଜାତୀୟ ଶ୍ରମ ଆଇନକୁ ଉଲ୍ଲଂଘନ କରି ଶ୍ରମିକର ଶ୍ରମକୁ ଶୋଷଣ ସହ ସାମାଜିକ ସୁରକ୍ଷାରୁ ବାଦ୍ ଦେଇ ଅତୀତର ଘୃଣ୍ୟ କ୍ରୀତଦାସ ପ୍ରଥା ପୁନଃ ପ୍ରଚଳନ ପାଇଁ ଜିଦଖୋର କେନ୍ଦ୍ର ସରକାରଙ୍କ କଳା ଶ୍ରମ କୋର୍ଡ ଦେଶ ସାମ୍ନାରେ ବହୁ ପ୍ରଶ୍ନ ଓ ଆନ୍ଦୋଳନକୁ ଆମନ୍ତ୍ରଣ କରୁଛି। ସ୍କିମ ଓରକର ଠାରୁ ଆରମ୍ଭ କରି ତଳୁ ଉପର ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଶ୍ରମଜୀବୀ ମଣିଷଙ୍କ ଜୀବନ ଜୀବିକା, ଆଇନ୍ ଗତ ଅଧିକାର, ସାମାଜିକ ସୁରକ୍ଷା ଇତ୍ୟାଦି ଛଡେଇ ନେବାକୁ କେନ୍ଦ୍ର ସରକାର କୁଣ୍ଠିତ ନୁହେଁ।
ଯେତେବେଳେ ଟଂକା ହ୍ରାସ ପାଉଛି, ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଏଲପିଜି ସଂକଟ, ଭିତ୍ତିଭୂମିର କ୍ରମାଗତ ଅବନତି, ଷ୍ଟକ୍ ବଜାର ଭୂଷୁଡି ପଡୁଛି, ଅର୍ଥନୀତି ମନ୍ଥର ହୋଇଛି, ଲୋକମାନେ ଚାକିରି ହରାଉଛନ୍ତି, ପ୍ରବାସୀ ଶ୍ରମିକ ଘର ବାହୁଡା ଦେଉଛନ୍ତି ଠିକ୍ ସେତିକିବେଳେ ୪ ଟି କଳା ଶ୍ରମ କୋର୍ଡକୁ କାର୍ଯ୍ୟକାରୀ କରିବା ନିନ୍ଦନୀୟ। ଶ୍ରମିକ ଶ୍ରେଣୀର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ରବ୍ଦ ଦାବିରେ ଦେଶବ୍ୟାପୀ କଳା ଦିବସ ପାଳନର ଅଂଶ ବିଶେଷ ଭାବେ ଆଜି ପ୍ରଭାଗୀୟ ଶ୍ରମ ଆୟୁକ୍ତ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରତିବାଦ ସିଆଇଟିୟୁ ର ଜିଲ୍ଲା ସଭାପତି ସାଥୀ ରବି ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, କାହ୍ନୁଚରଣ ବେହେରା, ବଳରାମ ମହାନ୍ତ, ମୟୂରଭଞ୍ଜ ପରିବହନ ଶ୍ରମିକ ସଂଘ ସଭାପତି ରଘୁନାଥ ପଣ୍ଡା, ଅଜିତ୍ କୁମାର ବେହେରା, ଲଖମିନାରାୟଣ ପରିଡ଼ା, ଏଆଇୟୁଟିୟୁସି ପକ୍ଷରୁ ସାଥୀ ପିତାମ୍ବର ନାଏକ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଶାଖୀ ମହାନ୍ତ, ମନୋରଞ୍ଜନ ପରିଡ଼ା,ସୁରିଆ ମହାନ୍ତ,ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ଶାନ୍ତ ମହାନ୍ତ, ଗଂଗାଧର ସାମଲ, ଦାଶରଥି ରାଉତ, ଅଜିତ୍ ବେହେରା, କବିତା ରାଣୀ ଦାସ, ବିଶ୍ୱନାଥ ସିଂ, ରଞ୍ଜିତ ମୁଦୁଲି,ସେକ ରିଜୁଆନ, କ୍ଷିତିଶ ସାସମଲ,ବୁଢାନ ମୁର୍ମୁ,କୁନା ସିଂ, ମୁକେଶ ମହାନ୍ତ,ଜିତରାୟ ସିଂ,ଅରୁଣ ମହାନ୍ତ, ଗୀତା ମହାନ୍ତ, ମହେଶ୍ୱର ବେହେରା ପ୍ରମୁଖ ପ୍ରତିବାଦରେ ସାମିଲ ଥିଲେ।
