IMG 20260326 WA0211

 ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ: ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ 

ରାଜ୍ୟ
  • ଇ-ଚାଲାଣ ଜରିଆରେ ୩୦,୬୭,୧୬୬  ଟଙ୍କାର ଜୋରିମାନା
ବାରିପଦା : ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚଳିତ ମାର୍ଚ୍ଚ ମାସ ତା.୨୧ ରୁ  ତା. ୩୧ ରିଖ , ୨୦୨୬ ପର୍ଯ୍ୟନ୍ତ ସଡ଼କ ସୁରକ୍ଷାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଏହି କ୍ରମରେ ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀଙ୍କ ତତ୍ୱାବଧାନରେ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଏନଫୋର୍ସମେଣ୍ଟ ସହ ସଡ଼କ ସୁରକ୍ଷାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏବଂ ଅଭିଯାନକୁ ଫଳପ୍ରସୂ କରିବା ଦିଗରେ  ପରିବହନ ବିଭାଗ, ପ୍ରଶାସନ ଓ ଉପଖଣ୍ଡ ପୁଲିସ ବିଭାଗ ଦ୍ୱାରା ଟିମ୍ ଗଠନ କରାଯାଇ ଉପଯୁକ୍ତ ପ୍ରବର୍ତ୍ତନ ପାଇଁ ଉଦ୍ୟମ କରାଯାଉଛି।
ଏହି ଅଭିଯାନ ସମୟରେ ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ସହ ଦୁର୍ଘଟଣାର ବିଭିନ୍ନ କାରଣକୁ ରୋକିବା ଉପରେ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଉଛି। ଯେପରିକି ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚାଳନା,ଦ୍ରୁତଗତିରେ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ବିନା ହେଲମେଟରେ ଦୁଇ ଚକିଆ ଗାଡି ଚାଳନା, ବିନା ସିଟବେଲ୍ଟରେ ଚାରି ଚକିଆ ଯାନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା,ଭୁଲ ଦିଗରେ ଗାଡି ଚଳାଇବା, ଅବୈଧ ପାର୍କିଂ କରିବା ଏବଂ ଓଭରଲୋଡିଂ ଭଳି ଟ୍ରାଫିକ ନିୟମର ଉଲଂଘନ କରୁଥିବା ମୋଟର ଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରାଜ୍ୟ ରାଜପଥ, ରାଜପଥକୁ ସଂଯୋଗ କରୁଥିବା ସ୍ଥାନ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ,ବଜାର ଅଂଚଳ, ବସ ଷ୍ଟାଣ୍ଡ ଭଳି ଜନ ଗହଳି ଅଂଚଳ ସହ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ପ୍ରବର୍ତ୍ତନକୁ ଅଧିକ କରାଯାଉଛି। ଏହା ସହିତ ଖଣି ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ଫର, ହାଇୱା ଏବଂ ଅନ୍ୟାନ୍ୟ ଭାରୀଯାନଗୁଡିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଓ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।
ଏହି ଅଭିଯାନ ପରିପ୍ରେକ୍ଷୀରେ ଆଜି  ଆଇ ଟି ଆଇ କଲେଜର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ସମ୍ବନ୍ଧିତ ଏକ ସଚେତନତା କାର୍ଯ୍ୟକ୍ରମ  କରାଯାଇ ଟ୍ରାଫିକ ନିୟମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ନିୟମ ଉଲଂଘନଜନିତ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା
ପ୍ରକାଶ ଥାଉକି, ସଡ଼କ ସୁରକ୍ଷା ସମ୍ପର୍କିତ ଏହି ସ୍ୱତନ୍ତ୍ର ଅଭିଯାନ କ୍ରମରେ ଅଦ୍ୟାବଧି ନିୟମ ଉଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଇ-ଚାଲାଣ ଜରିଆରେ ୩୦,୬୭,୧୬୬ ଟଙ୍କାର ଜୋରିମାନା ଲାଗୁ କରାଯିବା ସହ ୫ ଗୋଟି ଗାଡିକୁ ଅଟକ ରଖା ଯାଇଛି ବୋଲି ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ ସୂଚନା ଦେଇଛନ୍ତି।