ହରିହର ତ୍ରିପାଠୀ
– ଗ୍ୟାସ୍ ସିଲିଣ୍ଡରର ଦର ଏବେ ସୁନା ଦର ସହିତ ପ୍ରତିଯୋଗିତା କରୁଛି। ସେଥିପାଇଁ ଚୁଲି ଜଳାଇ ତରକାରି-ଭଜା-ଭାତର ସୌଖୀନତା ଛାଡ଼ନ୍ତୁ। ଏଣିକି “ର’ ଫୁଡ୍ ଡାଏଟ୍” (Raw Food Diet) ବା କଞ୍ଚାଫଳମୂଳ ଉପରେ ଗୁରୁତ୍ୱ ଦିଅନ୍ତୁ। ଗୋଟିଏ ସେଓ, କଦଳୀ କିମ୍ବା କାକୁଡ଼ି, ଗାଜର ଖାଇ ଦିନଟିଏ କାଟିଦେଲେ ଗ୍ୟାସ୍ ବି ବଞ୍ଚିବ ଆଉ ସ୍ୱାସ୍ଥ୍ୟ ବି ଭଲ ରହିବ !!
– ଯଦି କେବେ ମନ ହେଲା, ମିଲ୍ ହିଁ ସ୍କିପ୍ କରିଦିଅନ୍ତୁ। ଦିନକୁ ଦୁଇ ଓଳି ଖାଇବା ଏବେ ଏକ ବଡ଼ ‘ଲକ୍ଜୁରୀ’ | ବରଂ ବ୍ରତ ବା ଉପବାସ ରହି ନିଜକୁ ଆଧ୍ୟାତ୍ମିକ ଦେଖାଇବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଏହା ଦ୍ୱାରା ଘରର ଚୁଲି ବି ଶାନ୍ତିରେ ରହିବ ଆଉ ଆପଣଙ୍କ ପକେଟ୍ ବି।
– ବିଜୁଳି ନାହିଁ, ତେଣୁ ଏସି ବା ଫ୍ୟାନ୍ କଥା ଭୁଲିଯାଆନ୍ତୁ। ବିଜୁଳି ବିଲ୍ ଦେଖିଲେ ଯେଉଁ ଝାଳ ବାହାରିବ, ତାହା ବାହାରର ଗରମଠାରୁ ଅଧିକ ଭୟାନକ । ତେଣୁ ନିଜକୁ ଜଣେ ପ୍ରକୃତି ପ୍ରେମୀ ସଜାଇ ଦିଅନ୍ତୁ । ଦ୍ୱିପହର ହେଲେ ଘରେ ନ ରହି କୌଣସି ଆମ୍ବ ତୋଟା ବା ନଈକୂଳରେ ଥିବା ଗଛମୂଳକୁ ପଳାନ୍ତୁ । ସେଠାରେ ବସି ରାଜନୀତି କଥା ହୁଅନ୍ତୁ କିମ୍ବା ଖାଲି ପବନ ଖାଆନ୍ତୁ। ଏଥିରେ ଏସିର ଆବଶ୍ୟକତା ପଡ଼ିବ ନାହିଁ କି ମୋବାଇଲ୍ ଚାର୍ଜିଂର ଟେନସନ ରହିବ ନାହିଁ।
ଗଛମୂଳେ ବସିଲେ ଆପଣଙ୍କୁ କେହି କଞ୍ଜୁସ କହିବେ ନାହିଁ, ବରଂ ଜଣେ “ପରିବେଶବିତ୍” ଭାବେ ସମ୍ମାନ ଦେବେ।
– ପେଟ୍ରୋଲ ଦର ଯେଉଁଠି ପହଞ୍ଚିଲାଣି, ଗାଡ଼ିକୁ ୮୦ କିଲୋମିଟର ବେଗରେ ଚଲାଇବା ଏକ ଅପରାଧ ସଦୃଶ। ଗାଡ଼ିକୁ ଏମିତି ଚଲାନ୍ତୁ ଯେମିତି ଆପଣ ଶୋଭାଯାତ୍ରାରେ ଯାଉଛନ୍ତି। ଘଣ୍ଟାକୁ ୧୦-୧୫ କିଲୋମିଟର ବେଗରେ ଗଲେ ତେଲ କମ୍ ଖର୍ଚ୍ଚ ହେବ, ଦୁର୍ଘଟଣା ବି ଘଟିବ ନାହିଁ ଆଉ ଆପଣ ରାସ୍ତାରେ ଥିବା ପ୍ରତିଟି ଦୋକାନର ବ୍ୟାନର ମଧ୍ୟ ପଢ଼ି ପଢ଼ି ଯାଇପାରିବେ !!!!!
– ଯଦି କେହି ପଛରୁ ହର୍ଣ୍ଣ ମାରେ, ତେବେ ମୁରୁକି ହସି କୁହନ୍ତୁ- “ଭାଇ, ମୁଁ ଶକ୍ତି ସଂରକ୍ଷଣ କରୁଛି!”
-ଦିନକୁ ଦୁଇଥର ଗାଧୋଇ ନିଜକୁ ସଫା ସୁତୁରା ଦେଖାଇବା ପୁରୁଣା ଫ୍ୟାଶନ ହେଲାଣି। ଏବେ “ଡ୍ରାଏ କ୍ଲିନିଂ”ର ଯୁଗ। ଦିନେ ଛାଡ଼ି ଦିନେ ଗାଧାନ୍ତୁ, ପାଣି ବି ବଞ୍ଚିବ ଆଉ ସାବୁନ ବି।
ସେହିପରି ଅଯଥାରେ ଦୁଆର ମୁହଁରେ ପାଣି ଢାଳିବା କିମ୍ବା ଗାଡ଼ି ଧୋଇବା ଛାଡ଼ନ୍ତୁ।
ଗାଡ଼ି ଉପରେ ଧୂଳି ଜମି ରହିଲେ ତାହା ଆପଣଙ୍କ ଗାଡ଼ିକୁ ରଙ୍ଗରୁ ସୁରକ୍ଷା ଦେବ ବୋଲି ଭାବି ନିଅନ୍ତୁ। ଆଉ ଦୁଆର ମୁହଁର ଧୂଳି ଆପଣଙ୍କୁ ଧରିତ୍ରୀ ମାତାଙ୍କ ସହ ଯୋଡ଼ି ରଖିବ।
ପରିଶେଷରେ, ଯଦି ବହୁତ କଷ୍ଟ ହୁଏ, ତେବେ ଘର କୋଣରେ ପଡ଼ିଥିବା ସେହି ପୁରୁଣା କାଠ ଚୁଲୀକୁ ବାହାର କରନ୍ତୁ।
ପୁରୁଣା ଖବରକାଗଜ କିମ୍ବା ଶୁଖିଲା ପତ୍ରରେ ରୋଷେଇ କରିବା ଶିଖନ୍ତୁ।
ଆଖିରୁ ଲୁହ ବାହାରିଲେ ଭାବନ୍ତୁ ଯେ ଦେହରୁ ବିଷାକ୍ତ ଦ୍ରବ୍ୟ (Detox) ବାହାରୁଛି ବା ପ୍ରକୃତିମାତା ପ୍ରତି ମଣିଷ କରିଆସିଥିବା ପାପ ଧୋଇଯାଉଛି !!!!!!!!!!!!
