Oerc e1774363569589 300x166

ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍, ହ୍ରାସ ହେଲା ଟ୍ରାନ୍ସମିସନ୍ ଚାର୍ଜ

ରାଜ୍ୟ

ଭୁବନେଶ୍ୱର : ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍ ।  ​ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି  ।   ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି ।  ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା ରହିଛି । ପ୍ରଥମ, ଦର ବଢ଼ିବ ନାହିଁ ।  ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲ୍ ରେ କୌଣସି ବୃଦ୍ଧି କରାଯାଇ ନାହିଁ ।  ଟ୍ରାନ୍ସମିସନ୍ ଚାର୍ଜ ହ୍ରାସ ହୋଇଛି ।  OPTCL ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ କମିଛି ।  କମିଲା ବଲ୍କ ପାୱାର ଦର ।  ଡିସକମ୍ ଗୁଡ଼ିକ ଗ୍ରୀଡ୍ କୋରୁ କିଣୁଥିବା ବିଦ୍ୟୁତ ଦରରେ ସାମାନ୍ୟ (୦.୧୫ ପଇସା) ହ୍ରାସ ଘଟିଛି ।

ଚତୁର୍ଥରେ ଶିଳ୍ପ ସଂସ୍ଥାଙ୍କୁ ରିହାତି ଦିଆଯାଇଛି। ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା EHT ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ୩୦ ପଇସାକୁ ବୃଦ୍ଧି ପାଇଛି। ମେଗା ଲିଫ୍ଟ ଜଳସେଚନ ଗ୍ରାହକଙ୍କ ପାଇଁ କୌଣସି ଡିମାଣ୍ଡ ଚାର୍ଜ ଲାଗିବ ନାହିଁ। ସୌର ଶକ୍ତି ସମୟରେ ୟୁନିଟ୍ ପିଛା ୨ ଟଙ୍କା ଓ ଅନ୍ୟ ସମୟରେ ୧ ଟଙ୍କା ରିହାତି ମିଳିବ। ଘରୋଇ ଗ୍ରାହକଙ୍କୁ ୪% ରିହାତି ମିଳିବ। ଯଦି ଆପଣ ସମୟ ପୂର୍ବରୁ ଅନଲାଇନ୍ ରେ ସମ୍ପୂର୍ଣ୍ଣ ବିଲ୍ ପୈଠ କରନ୍ତି, ତେବେ ୪% ରିହାତି ପାଇବେ। ପ୍ରି-ପେଡ୍ ମିଟର ବ୍ୟବହାର କରୁଥିବା ଗ୍ରାହକଙ୍କୁ ମଧ୍ୟ ୪% ରିହାତି ମିଳିବ। ଇ-ବିଲ୍ ପାଇଁ ମଧ୍ୟ ରିହାତି ରହିଛି।

ଯେଉଁମାନେ କାଗଜ ବିଲ୍ ବଦଳରେ ଇଲେକ୍ଟ୍ରୋନିକ୍ ବିଲ୍ ଗ୍ରହଣ କରିବେ, ସେମାନଙ୍କୁ ୧୦ ଟଙ୍କା ଛାଡ଼ ମିଳିବ ।  ରେଳବାଇ ଟ୍ରାକ୍ସନ୍ ପାଇଁ ୟୁନିଟ୍ ପିଛା ଅଧିକ ୨୫ ପଇସା ରିହାତି ଘୋଷଣା ହୋଇଛି। ସମୟ ଅନୁଯାୟୀ ଶୁଳ୍କ ଧାର୍ଯ୍ୟ ହୋଇଛି। ଜୁଲାଇ ୨୦୨୬ରୁ ସ୍ମାର୍ଟ ମିଟର ଗ୍ରାହକଙ୍କ ପାଇଁ ସୌର ସମୟରେ ଅର୍ଥାତ ସକାଳ ୮ରୁ ଅପରାହ୍ନ ୪ଟା ଯାଏ ବିଦ୍ୟୁତ୍ ବିଲ୍ ଶସ୍ତା ହେବ। ପିକ୍ ସମୟରେ ଅର୍ଥାତ ସନ୍ଧ୍ୟା ୬ରୁ ରାତି ୧୨ଟା ମଧ୍ୟରେ ବିଦ୍ୟୁତ ମହଙ୍ଗା ହେବ। ବଡ଼ ଶିଳ୍ପଙ୍କୁ ପ୍ରୋତ୍ସାହନ ମିଳିଛି। ଇସ୍ପାତ ପ୍ଲାଣ୍ଟ ଓ ଅନ୍ୟ ବଡ଼ ଶିଳ୍ପଗୁଡ଼ିକ ଉତ୍ତମ ପରିଚାଳନା ପାଇଁ ୧୦% ରୁ ୨୦% ରିହାତି ପାଇପାରିବେ। ପରିବହନ କ୍ଷୟ ହ୍ରାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ରାଜ୍ୟର HT ଲସ୍ ୮% ରୁ ୭% କୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଓପନ ଆକ୍ସେସ ଚାର୍ଜ ଲାଗିବ। ଅର୍ଥାତ ବାହାରୁ ବିଦ୍ୟୁତ ଆଣୁଥିବା ଶିଳ୍ପଗୁଡ଼ିକ ପାଇଁ ନୂଆ ସରଚାର୍ଜ ଓ ହୁଇଲିଂ ଚାର୍ଜ ଧାର୍ଯ୍ୟ ହୋଇଛି। ନୂଆ ନିୟମରେ ସ୍ମାର୍ଟ ମିଟର ଉପରେ ଜୋର ଦିଆଯାଇଛି। ବିଦ୍ୟୁତ କ୍ଷୟ ରୋକିବାକୁ ସମସ୍ତ ଫିଡର ଓ ଗ୍ରାହକଙ୍କ ପାଖରେ ସ୍ମାର୍ଟ ମିଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ବ୍ୟବସ୍ଥା ହୋଇଛି। ଯେଉଁମାନଙ୍କ ବିଦ୍ୟୁତ ସଂଯୋଗ ସ୍ଥାୟୀ ଭାବେ କଟିଯାଇଛି, ସେମାନଙ୍କ ପୁରୁଣା ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ସରଳ ବ୍ୟବସ୍ଥା କରାଯାଇଛି।