IMG 20260323 WA0180

ଜନଗଣନା -୨୦୨୭ ପାଇଁ ସୁପରଭାଇଜର ଓ ଗଣନାକାରୀଙ୍କୁ ପ୍ରଶିକ୍ଷଣ

ରାଜ୍ୟ
ବାରିପଦା  : ବିକଶିତ ଭାରତ @୨୦୪୭ର ମୂଳଦୁଆକୁ ସୁଦୃଢ ଓ ସଶକ୍ତ କରିବା ତଥା ଭବିଷ୍ୟତରେ ସଠିକ ନୀତି ନିର୍ଦ୍ଧାରଣ, ସମ୍ବଳର ସଠିକ ବିତରଣ, ସଠିକ ସ୍ଥାନରେ ସଠିକ ଯୋଜନା, ଉନ୍ନତ ବିଦ୍ୟାଳୟ, ଡାକ୍ତରଖାନା, ସଡ଼କ ସହିତ ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ପ୍ରକୃତ ଉନ୍ନତି ପାଇଁ ଜନଗଣନା କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ।
ଏହି କ୍ରମରେ ଜନଗଣନା -୨୦୨୭ ଅନ୍ତର୍ଗତ ପ୍ରଥମ ସୋପାନ ଗୃହ ତାଲିକା ଓ ଗୃହ ଜନଗଣନା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସୁପରଭାଇଜର ଓ ଗଣନାକାରୀଙ୍କ ନିପୁଣତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର  ଆରମ୍ଭ ହୋଇଛି ।  ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ସୁପରଭାଇଜର ଓ ଏନୁମେରେଟର(ଗଣନାକାରୀ)ମାନଙ୍କୁ ଉପଯୁକ୍ତ ଭାବେ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେଉଛି । ଏହି ତାଲିମ ଶିବିର ମାର୍ଚ୍ଚ ୨୩ ରୁ ମାର୍ଚ୍ଚ ୨୯, ୨୦୨୬  ପର୍ଯ୍ୟନ୍ତ ସାତୋଟି ବ୍ୟାଚରେ ଆୟୋଜିତ ହେବ ।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏପ୍ରିଲ୍ ୨୦୨୬ ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ହେବାକୁ ଥିବା ଗୃହ ତାଲିକା ଓ ଗୃହ ଜନଗଣନା, ଯାହାକି ଜନଗଣନା ୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅଟେ, ଯେଉଁଥିରେ ଗୃହ ଅନୁସୂଚୀକରଣ ଏବଂ ଗୃହ ଗଣନା କରାଯିବ। ଏପ୍ରିଲ ୨୦୨୬ ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଚୟନିତ ୩୦ ଦିନ ଅବଧି ମଧ୍ୟରେ ସମସ୍ତ ଗୃହର ବିବରଣୀ ପଞ୍ଜିକୃତ କରାଯିବା ସହିତ ଗୃହର ସ୍ଥିତି, ସୁବିଧାମାନ ତଥା ପ୍ରାଥମିକ ତଥ୍ୟମାନ ସଂଗ୍ରହ କରାଯିବ ଯେଉଁଥିପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଉପଯୁକ୍ତ ଭାବେ ଦକ୍ଷ ବନେଇବା ।
ରାଇରଙ୍ଗପୁର ତହସିଲଦାର ତଥା ସେନସସ ଚାର୍ଜ ଅଧିକାରୀ ଶ୍ରୀ ବିଶ୍ୱନାଥ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ କ୍ଷେତ୍ର ପ୍ରଶିକ୍ଷକ ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ମାର୍ଣ୍ଡି ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବବଲୁ କୁମ୍ଭକାର ମିଳିତ ଭାବେ ସୁପରଭାଇଜର ଓ ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏହି ଅବସରରେ ଚାର୍ଜ ଅଫିସର ଶ୍ରୀ ବିଶ୍ୱାଳ ପ୍ରଶିକ୍ଷକମାନଙ୍କୁ ସମ୍ବୋଧନ କରି ଜନଗଣନା କାର୍ଯ୍ୟ ଦେଶର ଏକ ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ, ଏହାର ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ । ଏହି ଗଣନା କାର୍ଯ୍ୟ ସମୟରେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିବା ସହ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ ଦାୟିତ୍ୱର ସହିତ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଅର୍ଜିତ ଜ୍ଞାନକୁ ବ୍ୟବହାର କରି କ୍ଷେତ୍ର ସ୍ତରରେ ଏନ୍ୟୁମେରେଟର୍ ଓ ସୁପରଭାଇଜରମାନଙ୍କୁ କ୍ଷେତ୍ର ପ୍ରଶିକ୍ଷକମାନେ ସଠିକ୍ ମାର୍ଗଦର୍ଶନ ଦେବେ ବୋଲି ଶ୍ରୀ ବିଶ୍ୱାଳ ଆଶାବ୍ୟକ୍ତ କରିଥିଲେ ।
ପ୍ରଶିକ୍ଷଣ ସମୟରେ ଏନ୍ୟୁମେରେସନ୍ ପ୍ରକ୍ରିୟା, ଘର ତାଲିକାକରଣ ପ୍ରଣାଳୀ, କ୍ଷେତ୍ର ସ୍ତରର ନିୟମାବଳୀ ଓ ସେନସସ୍ କାର୍ଯ୍ୟର ପ୍ରାୟୋଗିକ ଦିଗ ବିଷୟରେ ବିଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଆଜି ପ୍ରଥମ ଦିବସରେ  ୧୪ ଜଣ ସୁପରଭାଇଜର ଓ ୮୦ ଜଣ ଗଣନାକାରୀ ତାଲିମ ଗ୍ରହଣ କରିଛନ୍ତି ।