ଭୁବନେଶ୍ବର (ସ୍ବତନ୍ତ୍ର ପ୍ରତିନିଧି) : ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ଅଭିଯୋଗରେ ଦଳର ୬ ଜଣ ଯୁବ ବିଧାୟକଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତି କେବଳ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଏହା ଦଳ ଭିତରେ ଲୁଚି ରହିଥିବା ପ୍ରବଳ ଅସନ୍ତୋଷର ଏକ ପ୍ରକାଶିତ ରୂପ। ବାଲିଗୁଡ଼ା ବିଧାୟକ ଚକ୍ରମଣି କାହାର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ନିଆଯାଇଥିବା ଏହି ପଦକ୍ଷେପ ବିଜେଡିର ଆଭ୍ୟନ୍ତରୀଣ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି—କ’ଣ ଏହି ଯୁବ ବିଧାୟକମାନେ କେବଳ ନିଜ ସାହସରେ ଏତେ ବଡ଼ ପଦକ୍ଷେପ ନେଇଛନ୍ତି, ନା ଏହା ପଛରେ ଦଳର କିଛି ପୁରୁଖା ନେତାଙ୍କ ମାର୍ଗଦର୍ଶନ ଓ ସମର୍ଥନ ରହିଛି?
ଏହି ସମଗ୍ର ଘଟଣାକ୍ରମକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ନିଲମ୍ବିତ ହୋଇଥିବା ପ୍ରାୟ ସମସ୍ତ ବିଧାୟକ ହେଉଛନ୍ତି ରାଜନୈତିକ ପରିବାରର ଦାୟାଦ। ସେମାନଙ୍କ ପଛରେ ସେମାନଙ୍କ ଅଭିଜ୍ଞ ପିତା ବା ବରିଷ୍ଠ ନେତାଙ୍କର ହାତ ରହିଛି। ବିଜେଡି ଭିତରେ ଦୀର୍ଘ ଦିନରୁ ଚାପି ହୋଇ ରହିଥିବା ଅସନ୍ତୋଷ ଏବେ ଏହି ଯୁବ ଚେହେରାଙ୍କ ମାଧ୍ୟମରେ ପଦାକୁ ଆସିଛି। ଏହି ବିଧାୟକମାନେ ଯେଉଁଭଳି ଭାବେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଇଛନ୍ତି, ତାହା ପୂର୍ବରୁ କେବେ ବିଜେଡି ଭିତରେ ଦେଖିବାକୁ ମିଳିନଥିଲା। ସାଧାରଣତଃ ନବୀନ ପଟ୍ଟନାୟକଙ୍କ ଦଳରେ କାରଣଦର୍ଶାଅ ନୋଟିସ ପାଇବା ପରେ ନେତାମାନେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରନ୍ତି, କିନ୍ତୁ ଏହି ୬ ଜଣ ବିଧାୟକ ଓଲଟା ମୁଖ୍ୟ ସଚେତକଙ୍କୁ ଜେଲ୍ ଯିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦେବା ସହ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଧମକ ଦେବା ଏକ ସାଧାରଣ କଥା ନୁହେଁ। ଏହା ସ୍ପଷ୍ଟ କରୁଛି ଯେ, ସେମାନଙ୍କ ପଛରେ ଏକ ଶକ୍ତିଶାଳୀ ଗୋଷ୍ଠୀ ରହିଛି, ଯିଏ ଦଳର ବର୍ତ୍ତମାନର ପରିଚାଳନା ଶୈଳୀକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ।
ବିଜେଡିର ଏହି ଆଭ୍ୟନ୍ତରୀଣ କନ୍ଦଳର ମୂଳ କାରଣ ହେଉଛି ‘କୋଟେରି’ ଶାସନ ଏବଂ ବିଜେଡିର କିଛି ନିର୍ଦ୍ଦିଷ୍ଟ ଶୀର୍ଷ ନେତୃତ୍ୱଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷ। ବିଶେଷ କରି ଭିକେ ପାଣ୍ଡିଆନଙ୍କ ପ୍ରଭାବ ଏବଂ ଦଳର ପୁରୁଖା ନେତାଙ୍କୁ କୋଣଠେସା କରିବାର ଯେଉଁ ପ୍ରକ୍ରିୟା ଚାଲିଥିଲା, ତାହାର ବିସ୍ଫୋରଣ ଏବେ ଆରମ୍ଭ ହୋଇଛି। ଯେଉଁ ନେତାମାନେ ଦଶନ୍ଧି ଦଶନ୍ଧି ଧରି ରକ୍ତଝାଳ ବୁହାଇ ଦଳକୁ ଗଢ଼ିଥିଲେ, ସେମାନେ ଅନୁଭବ କରୁଛନ୍ତି ଯେ ଦଳ ଏବେ କିଛି ଅଣ-ରାଜନୈତିକ ବ୍ୟକ୍ତିଙ୍କ ହାତକୁ ଚାଲିଯାଇଛି। ଯଦିଓ ବରିଷ୍ଠ ନେତାମାନେ ପ୍ରତ୍ୟକ୍ଷ ଭାବେ ସାମ୍ନାକୁ ଆସୁନାହାନ୍ତି, କିନ୍ତୁ ନିଜ ପିଲାମାନଙ୍କ ଜରିଆରେ ସେମାନେ ନିଜର ଶକ୍ତି ପରୀକ୍ଷା କରୁଛନ୍ତି। ଏହି ୬ ବିଧାୟକ ଯେଉଁଭଳି ଭାବେ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲେଖ କରି ଆଇନଗତ ଯୁକ୍ତି ବାଢ଼ିଛନ୍ତି, ତାହା ସୂଚାଉଛି ଯେ ଏହା ଏକ ସୁଚିନ୍ତିତ ରଣନୀତି।
ବର୍ତ୍ତମାନ ବିଧାନସଭାରେ ବିଜେଡିର ସଭ୍ୟ ସଂଖ୍ୟା ୪୨କୁ ଖସି ଆସିଛି। ଯଦି ଏହି ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦଳ ଆଗକୁ ବଢ଼େ, ତେବେ ପରିସ୍ଥିତି ଆହୁରି ଜଟିଳ ହେବ। ଏହାଦ୍ୱାରା ଦଳ ଭିତରେ ଥିବା ଅନ୍ୟ ‘ଅସନ୍ତୁଷ୍ଟ’ ନେତାମାନେ ମଧ୍ୟ ଖୋଲମଖୁଲା ବିଦ୍ରୋହ କରିବାକୁ ସୁଯୋଗ ପାଇବେ। ଯଦି ଶଙ୍ଖ ଦୁଇଫାଳ ହୋଇଯାଏ, ତେବେ ମୂଳ ବିଜେଡି ପାଖରେ କେବଳ ନାମକୁ ମାତ୍ର ସଂଗଠନ ରହିଯିବାର ଆଶଙ୍କା ରହିଛି। ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ଏବେ ବି ଦଳ ପାଇଁ ସବୁଠାରୁ ବଡ଼ ସମ୍ବଳ, କିନ୍ତୁ ତାଙ୍କ ଚାରିପଟେ ଥିବା ପ୍ରାଚୀର ଏବେ ସାଧାରଣ କର୍ମକର୍ତ୍ତା ଓ ବିଧାୟକଙ୍କ ପାଇଁ ଦୁର୍ଭେଦ୍ୟ ହୋଇପଡ଼ିଛି। ନିଲମ୍ବିତ ବିଧାୟକମାନେ ପ୍ରମିଳା ମଲ୍ଲିକଙ୍କ ନୋଟିସକୁ ଅସାମ୍ବିଧାନିକ ବୋଲି ଦର୍ଶାଇ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ। ଏହି ଆଇନଗତ ଯୁକ୍ତି ଦଳକୁ ଅଡୁଆରେ ପକାଇଛି।
ଏହି ରାଜନୈତିକ ବିସ୍ଫୋରଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ନବୀନ ପଟ୍ଟନାୟକ ନିଜେ ହେବାକୁ ଯାଉଛନ୍ତି। ଯେଉଁ ପାଣ୍ଡିଆନ ମଡେଲକୁ ନେଇ ସେ ଦଳକୁ ଆଧୁନିକୀକରଣ କରିବାକୁ ଚାହୁଁଥିଲେ, ତାହା ଏବେ ଦଳ ପାଇଁ ବୁମେରାଂ ସାଜିଛି। ଦଳର ଶୃଙ୍ଖଳା ରକ୍ଷା ନାମରେ ନିଲମ୍ବନ ଜାରି ରହିଲେ, ଦିନେ ଏଭଳି ସମୟ ଆସିବ ଯେତେବେଳେ ଶଙ୍ଖ ଫୁଙ୍କିବା ପାଇଁ ମଧ୍ୟ ଲୋକଙ୍କ ଅଭାବ ଦେଖାଦେଇପାରେ। ଓଡ଼ିଶାର ରାଜନୈତିକ ପରିବେଶରେ ଏହି ଘଟଣା ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି। ଯଦି ଶୀର୍ଷ ନେତୃତ୍ୱ ଏହି ଅସନ୍ତୋଷକୁ ଠିକ୍ ସମୟରେ ପ୍ରଶମିତ ନକରନ୍ତି, ତେବେ ଆଗାମୀ ଦିନରେ ବିଜେଡିର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ସୃଷ୍ଟି ହେବା ନିଶ୍ଚିତ। ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଉଜ୍ଜୀବିତ କରିବା ଏବଂ କୋଟେରି ଶାସନରୁ ଦଳକୁ ମୁକ୍ତ କରିବା ହିଁ ଏକମାତ୍ର ସମାଧାନର ପଥ ବୋଲି ମନେହେଉଛି। ନଚେତ, ଏହି ରାଜନୈତିକ ବିସ୍ଫୋରଣରୁ ବାହାରିବା ବିଜେଡି ପାଇଁ ଅସମ୍ଭବ ହୋଇପଡ଼ିବ।
