ସରକାରୀ ହସ୍ପିଟାଲରେ ଅଗ୍ନି ସୁରକ୍ଷା ନିରୀକ୍ଷକ ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କ ନିର୍ଦେଶ 

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥାନଗୁଡ଼ିକରେ ଅଗ୍ନି ନିରୋଧ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଓସ୍ୱାନ୍ ପ୍ଲାଟଫର୍ମ ମାଧ୍ୟମରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ଓ ଅନ୍ୟ ସଂସ୍ଥାନଗୁଡ଼ିକରେ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ଆବଶ୍ୟକ ଭିତ୍ତିଭୂମି, ପୂର୍ବପ୍ରସ୍ତୁତି, ଅଗ୍ନି ସୁରକ୍ଷା ନିୟମାବଳୀର କଠୋର ପାଳନ, ଫାୟାର ସେଫ୍ଟି ଅଡିଟ୍‌ର ନିୟମିତ ପରିଚାଳନା, ଫାୟାର ଫାଇଟିଂ ଉପକରଣର ସଠିକ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ, ବିଦ୍ୟୁତ୍ ସୁରକ୍ଷା, ଜଳ ଯୋଗାଣ ବ୍ୟବସ୍ଥା, ଏବଂ ଆପାତକାଳୀନ ସ୍ଥିତିରେ ତ୍ଵରିତ ଓ ସମନ୍ଵିତ କାର୍ଯ୍ୟପନ୍ଥା ଅବଲମ୍ବନ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲାପାଳ ଶ୍ରୀ ସୟ୍ ସମସ୍ତ ସମ୍ପର୍କିତ ବିଭାଗକୁ ସଂପୃକ୍ତ ସଂସ୍ଥାନଗୁଡିକରେ ଅଗ୍ନି ସୁରକ୍ଷା ମାନର ସୂଚାରୁ ରୂପେ ପାଳନ କରିବା, ସମୟ ସମୟରେ ନିରୀକ୍ଷଣ କରିବା, ମକ୍ ଡ୍ରିଲ୍‌ ଆୟୋଜନ କରିବା ସହିତ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ସରକାରୀ ହସ୍ପିଟାଲ ଓ ସଂସ୍ଥାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବା ସହ ଅଗ୍ନି ସୁରକ୍ଷା ନିରୀକ୍ଷକ ନିଯୁକ୍ତି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ସମସ୍ତ ଉପଖଣ୍ଡ-ଜିଲ୍ଲା ଚିକିତ୍ସା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଡ଼କ ଓ ଭବନ ଏବଂ ଗ୍ରାମୀଣ ଉନ୍ନୟନ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରମାନେ, ଟିପିଏନ୍ଓଡିଏଲ୍ ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୱାଟକୋ ର ଜେନେରାଲ୍ ମ୍ୟାନେଜର ଓ ସହାୟକ ଅଗ୍ନି ଅଧିକାରୀ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଏବଂ ନିକଟସ୍ଥ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟ ଓସ୍ୱାନ ହଲ୍‌ରୁ ଯୋଗଦେଇଥିଲେ।