- ତିନି ଦିନ ମୟୁରଭଞ୍ଜ ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ
ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ ନଅ ବର୍ଷ ଧରି ଜିଲ୍ଲାର ଚାରିଗୋଟି ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଆଜି ସକାଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶୁଭାରମ୍ଭ ହୋଇଯାଇଅଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମହାରାଜା ଶ୍ରୀ ରାମଚନ୍ଦ୍ରଭଞ୍ଜ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଡ଼. ବିଜୟ ଅଗ୍ରୱାଲା, ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଭଞ୍ଜସେନାର ଉପାଧ୍ୟକ୍ଷ ସଂଜୀବ କୁମାର ରାଉତ, ସମାଜସେବୀ ବିଶ୍ୱଜିତ ନାୟକ, ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥି, ବଳାଙ୍ଗୀ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ବଳାଙ୍ଗୀ ସେନାର ସଂସ୍କୃତି ସୈନିକ ମାନଙ୍କୁ ଉତ୍ସାହିତ କରିଥିଲେ. ବଳାଙ୍ଗୀ ମୋହତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି ଏବଂ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେସ ନାୟକ ଙ୍କ ତତ୍ୱାବଧାନରେ ଜାଗରଣ ଯାତ୍ରାରେ 50 ରୁ ଉର୍ଦ୍ଧ ସଂସ୍କୃତି ସୈନିକଙ୍କ ସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥ ତିନି ଦିନ ଧରି ସମଗ୍ର ଜିଲ୍ଲା ପରିକ୍ରମା କରି ମୟୁରଭଞ୍ଜର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ସହ ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ସୁଦୃଢ କରିବ. ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏହି ଯାତ୍ରା ଛଉ, ଝୁମର, କଳସିନାଚ, ସଂକୀର୍ତ୍ତନ, ଓଡିଶୀ ଆଦି କଳାକାର ମାନଙ୍କର ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜାଗରଣ ଯାତ୍ରା ଏବଂ ଜ୍ୟୋତିରଥ କୁଳିଅଣା, କଳାବାଡିଆ, ଝାରପୋଖରୀଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା ହୋଇ ଦୁନ୍ଦୁ ପର୍ଯ୍ୟନ୍ତ ଯିବ. ସେହିପରି 14 ତାରିଖ ଦ୍ଵିତୀୟ ଦିନ ଦୁନ୍ଦୁରୁ ବାହାରି ଜାମଦା, ଗଢ ରାଇରଙ୍ଗପୁର, ଭାଲୁବସା, ଯଶିପୁର, ଖିଚିଂ, କରଞ୍ଜିଆ, କଳାକାଦ, ଠାକୁରମୁଣ୍ଡା, ଚମ୍ପାଝର, ଶରତ, କପ୍ତିପଦା ହୋଇ ଉଦଳାରେ ପହଂଚିବ. ଏବଂ 15 ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ବାଲେଶ୍ଵର ଗୋଲେଇ ରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛଉ ପଡିଆ ନିକଟରେ ଜାଗରଣ ଯାତ୍ରା ଉଦଯାପିତ ହେବ ବୋଲି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ କହିଛନ୍ତି. କାର୍ଯ୍ୟକ୍ରମରେ ଅଶୋକ ପଲେଇ, ମନୋଜ ଦଳବେହେରା, ଡ଼. ଶଶୀଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଇନ୍ଦୁମତି ମହାନ୍ତି, ସୁନୀଲ କୁମାର ଜେନା, ରବିନ୍ଦ୍ର ସିଂ ପ୍ରମୁଖ ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ.

