ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ତ୍ରୟୋଦଶ ଶାସ୍ତ୍ରୀୟ ଭାଷା ଦିବସ ତଥା ପରିଷଦର ସପ୍ତମ ବାର୍ଷିକ ଉତ୍ସବ ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏହି ସମାରୋହରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଓଡ଼ିଆ ପାଇଁ ଏହି ଶାସ୍ତ୍ରୀୟ ଭାଷା ଦିବସ କିପରି ଗୌରବମୟ ସେ ବିଷୟରେ ଆଲୋକପାତ କରିବା ସହ ଓଡ଼ିଆ ଭାଷା ପ୍ରତି ମମତ୍ୱବୋଧ ଓ ସ୍ୱାଭିମାନ ହିଁ ଏ ଜାତିକୁ ବଞ୍ଚାଇ ରଖିବ ବୋଲି ସେ କହିଥିଲେ । ବିଶିଷ୍ଟ ସ୍ତମ୍ଭକାର ତଥା ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲା ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଭାଷାର ସୁରକ୍ଷା ପାଇଁ ଗଭୀର ଅଧ୍ୟବସାୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଭାଷାକୁ ଆମ ଦୈନନ୍ଦିନ ବ୍ୟବହାରରେ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ କରିଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ଏଥିରେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ପର୍କରେ ନିଜ ପରାମର୍ଶ ରଖିଥିଲେ । ସମ୍ମାନିତ ବକ୍ତା ଭାବେ ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜଗତ୍ବନ୍ଧୁ ଆଚାର୍ଯ୍ୟ ଯୋଗଦାନ କରି ଆମେ ଓଡ଼ିଆ ଭାବରେ ଗର୍ବ କଲାବେଳେ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମାନଙ୍କର ସମସ୍ୟାର ଚିନ୍ତା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ସ୍ମରଣୀୟ ଦିବସରେ ମୟୂରଭଞ୍ଜର ବରିଷ୍ଠ ସାହିତ୍ୟିକ, ସଙ୍ଗଠକ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ସାହୁଙ୍କୁ ବିଶ୍ଵବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ଉପସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ଡକ୍ଟର ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସହ-ସମ୍ପାଦକ ଡକ୍ଟର ସ୍ୱରୂପାନନ୍ଦ ବିଷୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସ୍ନେହାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସହ-ସମ୍ପାଦକ ଡକ୍ଟର ଶିଶିର ବେହେରା, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଆ ତର୍କ ପାଇଁ ମାନସୀ ମିଶ୍ର, ସୌମ୍ୟରଞ୍ଜନ ଦାଶ, ବନ୍ଦନା ସହୁ, ଓଡ଼ିଆ ପ୍ରବନ୍ଧ ପାଇଁ ଅଞ୍ଜନା ଭଟ୍ଟ, ସନ୍ଧ୍ୟାରାଣୀ ସାହୁ, ଦୀପ୍ତିରେଖା ରାଉତ, ଓଡ଼ିଆ ଗଳ୍ପ ଲିଖନ ପାଇଁ ଅଞ୍ଜନା ଭଟ୍ଟ, ଗାର୍ଗୀଶ୍ରୀ ମହାନ୍ତ, ତପସ୍ୱିନୀ ନାୟକ, ଓଡ଼ିଆ କବିତା ଲିଖନ ପାଇଁ ସ୍ମୃତି ସବୁଜିମା ଦାସ, ରୁଲି ବେହେରା, ଅଞ୍ଜନା ଭଟ୍ଟ, ଓଡ଼ିଆ ଭାଷାରୁ ଅନୁବାଦ ପାଇଁ ଧର୍ମେନ୍ଦ୍ର ଖମାରୀ, ପାଣ୍ଡୁ କୁମାର ମୁର୍ମୁ, ସ୍ନେହମୟୀ ପୂଜାରୀ, ଓଡ଼ିଆ କବିତା ପାଠ ପାଇଁ ସୀମାଲତା ସାହୁ, ତପସ୍ୱିନୀ ନାୟକ, ସ୍ମୃତି ସବୁଜିମା ଦାସ, ଶାସ୍ତ୍ରୀୟ ସଙ୍ଗୀତ ଗାନ ପାଇଁ ଶାରଦା ପ୍ରସନ୍ନ ରାଉତ, ପ୍ରବୀଣ ପ୍ରଧାନ, ସୁପ୍ରଭା ମହାନ୍ତି, ଶାସ୍ତ୍ରୀୟ ନୃତ୍ୟ ପାଇଁ ବର୍ଷାରାଣୀ ଜେନା, ଲିପ୍ସା ମହାନ୍ତ ପ୍ରମୁଖ ପ୍ରଥମ୍, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଡକ୍ଟର ରତ୍ନାକର ଚଇନିଙ୍କ ଲିଖିତ ଏବଂ ବିଶ୍ଵବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ଶାନ୍ତିସ୍ୱରୁପ ବସାଙ୍କ ନିର୍ଦ୍ଦେଶିତ ନାଟକ “ଅନ୍ୟ ଏକ ଶ୍ରବଣ କୁମାର” ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ମଞ୍ଚସ୍ଥ କରାଯାଇଥିଲା । ଏଥିରେ ଚିତାକର୍ଷକ ଅଭିନୟ ପାଇଁ ପ୍ରଥମ ସ୍ଥାନରେ ବର୍ଷାରାଣୀ ଜେନା, ଦ୍ୱିତୀୟ ସ୍ଥାନରେ ସୀମାଲତା ସାହୁ ଓ ତୃତୀୟ ସ୍ଥାନରେ ରଶ୍ମିତା ବେରାଙ୍କୁ ପୁରସ୍କୃତ କରାଯାଇଥିଲା ।

